ବ୍ରହ୍ମପୁର ଅଫିସ,୩ା୪: ବ୍ରହ୍ମପୁର ବଡ ମେଡିକାଲ ସୁପରସ୍ପେଶାଲିଟି ବ୍ଲକରୁ ଲଗାତର ସିଲିଂ ଖସୁଛି। ପୁଣିଥରେ ସର୍ଜରି ବିଭାଗର ୫ ନମ୍ବର ୟୁନିଟ ପ୍ରବେଶ ପଥର ସିଲିଂ ଖସିଛି। ରବିବାର ରୋଗୀ କମ୍ ଥିବା ଏବଂ ସମ୍ପର୍କୀୟ ମଧ୍ୟ ଅଳ୍ପ ଥିଲେ, ଏପରିକି ଡାକ୍ତର ଓ କର୍ମଚାରୀଙ୍କ ଯାତାୟାତ ମଧ୍ୟ ସେତେ ନ ଥିଲା। ଏଣୁ ଏଥିରେ କେହି ଆହତ ହୋଇ ନାହାନ୍ତି। ସିଲିଂ ଖସିବା ପରେ ଏହାକୁ ମେଡିକାଲ କର୍ମଚାରୀ ବାହାର କରିଦେଇଛନ୍ତି, କିନ୍ତୁ ଏହାକୁ ଯେଉଁ ସ୍ଥାନରେ ପକାଇଛନ୍ତି ସେଠାରେ ପାଣି ଜମି ରହିଛି, ତାକୁ ସଫା କରାଯାଇନାହିଁ। ସେହି ରାସ୍ତାରେ ଯାତାୟାତ ବେଳେ ରୋଗୀ ଓ ଅନ୍ୟମାନେ ଅସୁବିଧା ଭୋଗୁଛନ୍ତି।
ପ୍ରକାଶଯେ, ପୂର୍ବରୁ ଉକ୍ତ କୋଠାର ବିଭିନ୍ନ ବିଭାଗରେ ସିଲିଂ ଖସିଥିଲା। ଏହି ଘଟଣାକୁ ନେଇ ସେହି ସମୟରେ ରୋଗୀ, ରୋଗୀ ସମ୍ପର୍କୀୟ ଭୟଭୀତ ହୋଇଥିଲେ। ଏହାପରେ ପ୍ରଶାସନର ଉଚ୍ଚସ୍ତରୀୟ ବୈଠକ କରି ସମାଧାନ ପନ୍ଥା ବାହାର କରାଯାଇ ଦୁର୍ବଳ ସ୍ଥାନଗୁଡିକର ମରାମତି କରିବାକୁ ନିଷ୍ପତ୍ତି ହୋଇଥିଲା। ପରେ ଉକ୍ତ ବ୍ଲକର ବିଭିନ୍ନ ସ୍ଥାନରେ ମରାମତି କାମ ଆରମ୍ଭ ହୋଇଥିଲା। ଦୁର୍ବଳ ଥିବା ସିଲିଂ ବାହାର କରାଯାଇ ତାହାର ମରାମତି ହୋଇଥିଲା। ହେଲେ ରବିବାର ପୁଣି ଉକ୍ତ ବ୍ଲକର ସର୍ଜରି କୋଠାରୁ ସିଲିଂ ଖସିଛି।
ଏନେଇ ଅଧୀକ୍ଷକ ଡା. ସୁଚିତ୍ରା ଦାସଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ସୁପରସ୍ପେଶାଲିଟି ୪ର୍ଥ ମହଲାରେ ଥିବା ସର୍ଜରି ବିଭାଗର ୫ ୟୁନିଟର ସିଲିଂ ଖସିଥିବା ଜାଣିବାକୁ ପାଇଥିଲି। ଦୁର୍ବଳ ସିଲିଂ ବାହାର କରି ସେଠାରେ ମରାମତି କରିବାକୁ ପୂର୍ତ୍ତ (ପିଡବ୍ଲ୍ୟୁଡି)ଅଧିକାରୀଙ୍କୁ ଖବର କରାଯାଇଛି। ଉକ୍ତ ଟିମ୍ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବ୍ଶୀଘ୍ର ସେଠାରେ ମରାମତି କାମ ଆରମ୍ଭ ହେବ ବୋଲି ଅଧୀକ୍ଷକ ଦାସ ସୂଚନା ଦେଇଛନ୍ତି।