ଚିଲିକା, ଅଂଶୁପା ପାଇଁ କେନ୍ଦ୍ର ଦେଇଛି ୪.୭ କୋଟି

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ନ୍ୟାଶନାଲ୍‌ ପ୍ଲାନ୍‌ ଫର୍‌ କଞ୍ଜରଭେଶନ୍‌ ଅଫ୍‌ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଗତ ୨ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ୪.୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଦେଶର ସର୍ବବୃହତ୍‌ ଲବଣ ଜଳ ହ୍ରଦ ଚିଲିକା ଏବଂ ଓଡ଼ିଶାର ବୃହତ୍ତମ ମଧୁର ଜଳ ହ୍ରଦ ଅଂଶୁପାର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ ଲାଗି ଏହି ଅନୁଦାନ ରାଶି ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଧର୍ମେନ୍ଦ୍ର ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି, ମୋଦିଙ୍କ ନେତୃତ୍ୱ ଏବଂ ଜାଭଡ଼େକରଙ୍କ ଦକ୍ଷ କାର୍ଯ୍ୟଶୈଳୀ ଯୋଗୁ ଜୈବ ବିବିଧତାର ସଂରକ୍ଷଣ, ସୁରକ୍ଷା ଏବଂ ପରିଚାଳନା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇପାରିଛି। ୩ବର୍ଷ ପୂର୍ବେ ଦଳ ଓ ଆବର୍ଜନାରେ ପୋତି ହୋଇଯାଇଥିବା ଅଂଶୁପା ହ୍ରଦର ପୁନରୁଦ୍ଧାର କରାଯାଇଛି। ସନ୍ତସନ୍ତିଆ ଅଞ୍ଚଳର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ପରିବେଶ ପର୍ଯ୍ୟଟନର ସମ୍ଭାବନା ରଖିଥିବା ଅଂଶୁପା ଏବଂ ଚିଲିକା ହ୍ରଦ ପ୍ରବାସୀ ପକ୍ଷୀଙ୍କ ଘର ପାଲଟିଛି। ପ୍ରକୃତିପ୍ରେମୀଙ୍କ ମନମୋହିଲା ଭଳି ଏଠାରେ ପରିବେଶ ରହିଛି। ଏହି ଦୁଇ ହ୍ରଦର ଭବିଷ୍ୟତ, ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ସନ୍ତସନ୍ତିଆ ଅଞ୍ଚଳ ଆର୍ଥତ୍କ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ସୁରକ୍ଷା ଦେବାରେ ସହାୟକ ହୋଇଥାଏ ବୋଲି ଧର୍ମେନ୍ଦ୍ର ନିଜ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।

Share