Categories: ବାଣିଜ୍ୟ

କେନ୍ଦ୍ର ଦେଲା ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓଡିଶା ସମେତ ୧୬ ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ଜିଏସ୍‌ଟି କ୍ଷତିପୂରଣ ଭାବେ ୬ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ସୋମବାର ଘୋଷଣା କରିଛନ୍ତି। ଚଳିତ ବର୍ଷ ଜିଏସ୍‌ଟି କ୍ଷତିପୂରଣ ସେସ୍‌ ସଂଗ୍ରହ କମିଥିବାରୁ ରାଜ୍ୟକୁ ଏହି ବାବଦ ଅର୍ଥ ପ୍ରଦାନ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ମତଭେଦ ପୂର୍ବରୁ ଉପୁଜିଥିଲା। ଶେଷରେ ଋଣ କରି ଏହି ରାଶି ରାଜ୍ୟକୁ ଦେବା ଲାଗି କେନ୍ଦ୍ର ସରକାର ରାଜି ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସ୍ପେଶାଲ ଓ୍ବିଣ୍ଡୋ ଅନ୍ତର୍ଗତ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୧୨ ହଜାର କୋଟି ଟଙ୍କା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯାଇଛି। କ୍ଷତିପୂରଣ ରାଶିର ଭରଣା ଲାଗି କେନ୍ଦ୍ର ମୋଟ ୧.୧ ଲକ୍ଷ କୋଟି ଟଙ୍କା ଋଣ କରି ରାଜ୍ୟକୁ ଯୋଗାଇଦେବାକୁ ରାଜି ହୋଇଛି। ଏହି ପ୍ରସଙ୍ଗକୁ ନେଇ ଅଣଭାଜପା ଶାସିତ ରାଜ୍ୟ ଅଡି ବସିଥିଲେ। ସ୍ପେଶାଲ ଓ୍ବିଣ୍ଡୋ ସପକ୍ଷରେ ୨୧ ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳ ନିଜର ମତ ରଖିଥିଲେ।
କ୍ଷତିପୂରଣ ଅର୍ଥ ପାଇବାକୁଥିବା ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀ, ଜମ୍ମୁକଶ୍ମୀର ଏବଂ ପୁଡୁଚେରୀ ରହିିଛି। ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୨୩ରେ ୧୬ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ଜମ୍ମୁ-କଶ୍ମୀରକୁ ୬ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଦ୍ୱିତୀୟ କିସ୍ତିରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀକୁ ସାମିଲ କରାଯାଇଛି। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଅଗଷ୍ଟରେ ୨ଟି ବିକଳ୍ପ ପ୍ରଦାନ କରିଥିଲେ। ରିଜର୍ଭ ବ୍ୟାଙ୍କ ସ୍ପେଶାଲ ଓ୍ବିଣ୍ଡୋରୁ ୯୭ ହଜାର କୋଟି କିମ୍ବା ଖୋଲା ବଜାରରୁ ୨.୩୫ ଲକ୍ଷ କୋଟି ଋଣ ଉଠାଣ ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହି ବିକଳ୍ପଗୁଡିକୁ ୧.୧୦ ଲକ୍ଷ କୋଟି ଏବଂ ୧.୮ ଲକ୍ଷ କୋଟି ଟଙ୍କାକୁ ପରିବର୍ତ୍ତନ କରାଯାଇଛି।

Share