ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଜୟ ମାଲ୍ୟାଙ୍କ ପୁନର୍ବିଚାର ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେଉଛି। ସୁପ୍ରିମକୋର୍ଟ ଏହି ମାମଲାରେ ମାଲ୍ୟା ଏବଂ କେନ୍ଦ୍ର ସରକାରଙ୍କ ଉତ୍ତର ଲୋଡିଥିଲେ। ଏଥିରେ କେନ୍ଦ୍ର ସରକାର ସୋମବାର ପକ୍ଷ ରଖିଛନ୍ତି। ମାଲ୍ୟାଙ୍କ ପ୍ରତ୍ୟର୍ପଣ ଲାଗି ଇଂଲଣ୍ଡରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ହେଲେ ବର୍ତ୍ତମାନ କାହିଁକି ପ୍ରତ୍ୟପଣ ହୋଇପାରିନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରର ଜବାବ ମାଗିଥିଲେ। ସେଠାରେ ଗୋପନରେ ମାଲ୍ୟାଙ୍କ ପ୍ରତ୍ୟପଣ ପ୍ରକ୍ରିୟା ଜାରି ରହିଛି। ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠକୁ ସରକାର ଉତ୍ତର ରଖି କହିଛନ୍ତିଯେ, ଏହି ଗୋପନ ପ୍ରକ୍ରିୟାରେ ଭାରତ ସରକାର ପକ୍ଷଭୁକ୍ତ ନୁହନ୍ତି। ୟୁକେର ସୁପ୍ରିମକୋର୍ଟ ମାଲ୍ୟାଙ୍କ ପ୍ରତ୍ୟପଣ ନେଇ ଅନୁମତି ଦେଇ ସାରିଛନ୍ତି। ତେବେ କେବେ ତାଙ୍କୁ ସୁପ୍ରିମକୋର୍ଟରେ ହାଜର କରାଯିବ ବୋଲି ମାଲ୍ୟାଙ୍କ ଓକିଲଙ୍କୁ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। କେଉଁ ଭଳି ଗୋପନୀୟ ପ୍ରକ୍ରିୟା ସେଠାରେ ଚାଲିଛି ବୋଲି ପ୍ରଶ୍ନରେ ମାଲ୍ୟାଙ୍କ ଓକିଲ କହିଛନ୍ତି, ଏ ସମ୍ପର୍କରେ ଖବର ତାଙ୍କ ନିକଟରେ ନାହିଁ। ମାଲ୍ୟାଙ୍କ ଓକିଲଙ୍କ ଉତ୍ତର ଉପରେ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାଲାର ଶୁଣାଣି ନଭେମ୍ବର ୨ରେ ହେବ। କୋର୍ଟରେ ହାଜର ହେବା ଲାଗି ମାଲ୍ୟାଙ୍କୁ ନିର୍ଦ୍ଦେଶ ରହିଛି।