Categories: ଜାତୀୟ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ କରିବାକୁ ୩ ବିଲ୍‌ ଆଣିବ କେନ୍ଦ୍ର

ନୂଆଦିଲ୍ଲୀ,୨୯ା୯: ଦେଶରେ ଏକସଙ୍ଗେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ କରାଇବା ପାଇଁ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍‌ଶନ’ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ୩ଟି ବିଲ୍‌ ଆଣିବା ନିମନ୍ତେ ବିଚାର କରୁଛନ୍ତି। ଏଥିପାଇଁ ୨ଟି ସମ୍ବିଧାନ ସଂଶୋଧନ ବିଲ୍‌ ଏବଂ ଗୋଟିଏ ସାଧାରଣ ସଂଶୋଧନ ବିଲ୍‌ ଗୃହୀତ କରାଇବାକୁ ହେବ। ଏକସଙ୍ଗେ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଚଳିତ ମାସ ଆରମ୍ଭରେ ସରକାରଙ୍କୁ ସୁପାରିସ କରିଥିଲେ। ଦେଶବ୍ୟାପୀ ସହମତ ସୃଷ୍ଟି ପଦକ୍ଷେପ ପରେ ପର୍ଯ୍ୟାୟକ୍ରମେ ଲୋକ ସଭା, ରାଜ୍ୟ ବିଧାନସଭା, ପୌରସଭା ଓ ପଞ୍ଚାୟତ ନିର୍ବାଚନ କରାଯିବ।

ଏକତ୍ର ଲୋକ ସଭା ଓ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଇବା ନିମନ୍ତେ ବ୍ୟବସ୍ଥା ପ୍ରସ୍ତୁତି ଲାଗି ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ ପ୍ରସ୍ତାବ ରହିଛି। ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ଶେଷ ନେଇ ଅନୁଚ୍ଛେଦ ୮୨ଏରେ ସଂଶୋଧନ କରି ଏଥିରେ ଦୁଇଟି ଉପଅନୁଚ୍ଛେଦ ଯୋଡ଼ିବାକୁ ହେବ। ଲୋକସଭାର କାର୍ଯ୍ୟକାଳ ଓ ଭଙ୍ଗ ସମ୍ପର୍କିତ ଅନୁଚ୍ଛେଦ ୮୩(୨)ରେ ନୂଆ ଉପଅନୁଚ୍ଛେଦ (୩) ଏବଂ (୪) ଯୋଡ଼ିବାକୁ ହେବ। ସେହିପରି ଏକସଙ୍ଗେ ନିର୍ବାଚନ ଲାଗି ବିଧାନସଭାଗୁଡ଼ିକୁ ଭଙ୍ଗ ପାଇଁ ଅନୁଚ୍ଛେଦ ୩୨୭ରେ ସଂଶୋଧନ ଆଣିବାକୁ ପଡ଼ିବ। ଏହି ସଂଶୋଧନ ପାଇଁ ୫୦ ପ୍ରତିଶତ ରାଜ୍ୟର ସମର୍ଥନ ଆବଶ୍ୟକ ହେବନାହିଁ ବୋଲି ସୁପାରିସରେ କୁହାଯାଇଛି।

ଅନ୍ୟପକ୍ଷରେ ରାଷ୍ଟ୍ର ବ୍ୟାପାର ସମ୍ପର୍କିତ ପ୍ରସଙ୍ଗ ଡିଲ୍‌ ପାଇଁ ଦ୍ୱିତୀୟ ସମ୍ବିଧାନ ସଂଶୋଧନରେ ଅନୂ୍ୟନ ୫୦ ପ୍ରତିଶତ ରାଜ୍ୟର ସମର୍ଥନ ଆବଶ୍ୟକ ହେବ। ସେହିପରି ପୌରସଂସ୍ଥା ଓ ପଞ୍ଚାୟତଗୁଡ଼ିକର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ପରାମର୍ଶ କରି ନିର୍ବାଚନ କମିଶନ ଭୋଟର ତାଲିକା ପ୍ରସ୍ତୁତ କରିବେ। ଏଥିପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ବ୍ୟବସ୍ଥାରେ ସଂଶୋଧନ ଆଣିବାକୁ ହେବ। ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀ, ଦିଲ୍ଲୀ ଏବଂ ଜମ୍ମୁ-କଶ୍ମୀରରେ ଏହାକୁ ଡିଲ୍‌ କରୁଥିବା ୩ଟି ଆଇନର ବ୍ୟବସ୍ଥାରେ ସଂଶୋଧନ ପାଇଁ ତୃତୀୟ ବିଲ୍‌ ଆଣିବାକୁ ହେବ ବୋଲି କୁହାଯାଇଛି।

Share