କେନ୍ଦ୍ର, ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୧୨ା୩: ମୟୂରଭଞ୍ଜ ଜିଲା ବାଦାମପାହାଡ଼ରୁ ବେଆଇନ ଲୁହାପଥର ଉତ୍ତୋଳନ କରାଯିବା ଘଟଣାରେ ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ବାଦାମପାହାଡ଼ ଗ୍ରାମର ଏସ୍‌.କେ. ସାଜିଦ୍‌ ଅଲ୍ଲୀ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଖଣି ମନ୍ତ୍ରଣାଳୟ, କେନ୍ଦ୍ର କର୍ପୋରେଟ୍‌ ମନ୍ତ୍ରଣାଳୟ, ରାଜ୍ୟ ଇସ୍ପାତ ଏବଂ ଖଣି ବିଭାଗ ସଚିବ, ଖଣି ବିଭାଗ ନିର୍ଦ୍ଦେଶକ, କମ୍ପାନୀ ରେଜିଷ୍ଟ୍ରାର, ମୟୂରଭଞ୍ଜ ଜିଲାପାଳ, ବାରିପଦା ସର୍କଲ ଖଣି ଅଧିକାରୀ, ଲାଲ୍‌ ଟ୍ରେଡର ଏବଂ ଏଜେନ୍ସିର ଏମ୍‌ଡି ରାଜକୁମାର ମିଶ୍ରଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ପ୍ରତ୍ୟେକ ପକ୍ଷ ଜବାବ ଦାଖଲ କରିବେ। ଜୁଲାଇ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।
ଆବେଦନକାରୀମାନେ ପିଟିଶନ୍‌ରେ ଦର୍ଶାଇଛନ୍ତି, ଏହି ପାହାଡ଼କୁ ଯେତିକି ଦିନ ପାଇଁ ଲିଜ୍‌ ଦିଆଯାଇଥିଲା, ତାହାର ଅବଧି ଶେଷ ହୋଇସାରିଛି। ଏହାସତ୍ତ୍ୱେ ମଧ୍ୟ ପୂର୍ବରୁ ଥିବା କମ୍ପାନୀ ଏଥିରୁ ଲୁହାପଥର ଉତ୍ତୋଳନ କରିଆସୁଛି। ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁମତି ନିଆଯାଇନାହିଁ। ଏଥିଯୋଗୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡୁଛି। ଏ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏମ୍‌. ପାଣିଗ୍ରାହୀ ମାମଲା ପରିଚାଳନା କରୁଛନ୍ତି।