ତଥ୍ୟ ଦେଉନାହାନ୍ତି କେନ୍ଦ୍ରୀୟ ସଂସ୍ଥା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ମହାନଦୀ ଜଳ ବିବାଦ ମାମଲା ଘୁଞ୍ଚି ଘୁଞ୍ଚି ଯାଉଛି। କେନ୍ଦ୍ରୀୟ ସଂସ୍ଥା ଉଭୟ ଓଡ଼ିଶା କିମ୍ବା ଛତିଶଗଡ଼କୁ ତଥ୍ୟ ଦେଉନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ବିବାଦକୁ ନେଇ କେନ୍ଦ୍ରୀୟ ସଂସ୍ଥା ଅକ୍ଷମତା ପ୍ରକାଶ କରୁଛନ୍ତି। ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା ପକ୍ଷରୁ ୨୦୨୦ ଅଗଷ୍ଟରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ତଥ୍ୟ ପ୍ରମାଣ ମଗାଯାଇଥିଲା। ଏହାଛଡ଼ା ମହାନଦୀ ବିବାଦ ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ ଆବଶ୍ୟକ କାଗଜପତ୍ର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୬ ମାସ ବିତିଯାଇଥିଲେ ସୁଦ୍ଧା କେନ୍ଦ୍ରୀୟ ଏଜେନ୍ସି କୌଣସି ପ୍ରମାଣ ପତ୍ର ଦେଉ ନ ଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

୧୯୫୦ରୁ ମହାନଦୀ ଉପରେ ହୋଇଥିବା ୨୩ଟି ପ୍ରକଳ୍ପ ସମ୍ପର୍କରେ ବୈଷୟିକ ପରାମର୍ଶଦାତା କମିଟି ଦେଇଥିବା ସୁପାରିସ ବିଷୟରେ ଓଡ଼ିଶା ସରକାର କେନ୍ଦ୍ରୀୟ ଜଳ ଆୟୋଗକୁ ତଥ୍ୟ ମାଗିଥିଲେ। ଏଥିସହିତ ହୀରାକୁଦ ଡ୍ୟାମ୍‌ ପାଇଁ ୧୯୪୮ଏବଂ ୧୯୫୨ରେ କମିଟି ଦେଇଥିବା ଟର୍ମସ ଅଫ୍‌ ରେଫରେନ୍ସ ବିଷୟରେ ଓଡ଼ଶା ସରକାର ଜଳ ଶକ୍ତି ମନ୍ତ୍ରଣାଳୟକୁ ମାଗିଥିଲେ। ଏହାଛଡ଼ା ହୀରାକୁଦ ଜଳ ଭଣ୍ଡାର ସମ୍ପର୍କରେ ପବ୍ଲିକ ଆକାଉଣ୍ଟ୍‌ସ କମିଟି ରିପୋର୍ଟ ଏବଂ ମହାନଦୀ ଉପରେ ହୋଇଥିବା ୩୫ଟି ପ୍ରକଳ୍ପର ପରିବେଶ ମଞ୍ଜୁରୀ ରିପୋର୍ଟ ପରିବେଶ ମନ୍ତ୍ରଣାଳୟକୁ ଓଡ଼ିଶା ସରକାର ମାଗିଥିଲେ। ସେହିପରି ଛତିଶଗଡ଼ ସରକାର ମଧ୍ୟ ଭାରତୀୟ ପାଣିପାଗ ବିଭାଗକୁ କେତେକ ତଥ୍ୟ ମାଗିଥିଲେ। ତେବେ ଉଭୟ ରାଜ୍ୟକୁ କେନ୍ଦ୍ରୀୟ ସଂସ୍ଥା କୌଣସି ତଥ୍ୟ ଦେଉନାହାନ୍ତି। ୨୦୨୮ରେ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଏହାର କାର୍ଯ୍ୟକାଳ ଆସନ୍ତା ୨୦୨୩ରେ ଶେଷ ହେବ। ମାତ୍ର କେନ୍ଦ୍ରୀୟ ସଂସ୍ଥା କୌଣସି ପ୍ରକାର ସହଯୋଗ କରୁ ନ ଥିବାରୁ ଶୁଣାଣି ବିଳମ୍ବ ହେଉଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଆସନ୍ତା ସୋମବାର ସୁଦ୍ଧା ନିଜର ପ୍ରମାଣପତ୍ର ଦାଖଲ କରିବାକୁ ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କମନ ଫର୍ମାଟ୍‌ ଚୂଡ଼ାନ୍ତ ହେବ। ଫେବୃୟାରୀ ୬ରୁ ଶୁଣାଣି ଆରମ୍ଭ ହେବ।

Share