ସଂସଦରେ ଏହିଦିନ ଉପସ୍ଥାପନ ହେବ କେନ୍ଦ୍ର ବଜେଟ, କିରେନ ରିଜିଜୁ କଲେ ଘୋଷଣା

ନୂଆଦିଲ୍ଲୀ,୬।୭: କେନ୍ଦ୍ର ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ତାରିଖ ଘୋଷଣା କରିଛନ୍ତି। ସେ ଆଜି ଏକ୍ସରେ ପୋଷ୍ଟ କରି କହିଛନ୍ତି, ସଂସଦର ଆଗାମୀ ବଜେଟ ଅଧିବେଶନ ଜୁଲାଇ ୨୩ରେ ଉପସ୍ଥାପନ ହେବ।

କିରେନ ରିଜିଜୁ ଆହୁରି କହିଛନ୍ତି , ଭାରତ ସରକାରଙ୍କ ସୁପାରିଶ କ୍ରମେ ଜୁଲାଇ ୨୨ରେ ସଂସଦରେ ବଜେଟ ଅଧିବେଶନ ଡାକିବାକୁ ମାନ୍ୟବର ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ସେ କହିଛନ୍ତି ଯେ, ଏଥର ବଜେଟ ଅଧିବେଶନ ଜୁଲାଇ ୨୨ ରୁ ଆରମ୍ଭ ହେବ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଜାରି ରହିବ। ଏଥିସହ ଜୁଲାଇ ୨୩ରେ ଲୋକ ସଭାରେ ବଜେଟ ଉପସ୍ଥାପନ କରାଯିବ ବୋଲି ରିଜିଜୁ କହିଛନ୍ତି।

ସୂଚନାଥାଉ କି, ଓଡ଼ିଶାରେ ମଧ୍ୟ ଜୁଲାଇ ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ଥିବା ବେଳେ ଜୁଲାଇ ୨୫ରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ ।

ଶୁକ୍ରବାର ବିଧାନସଭା ସଚିବାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଜୁଲାଇ ୨୨ରେ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ । ଏହାପରେ ୨୩ରେ ଉପବାଚସ୍ପତି ନିର୍ବାଚନ ଘୋଷଣା ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ୨ଦିନ ଧରି ଆଲୋଚନା ହେବ । ୨୪ତାରିଖରେ ଉପବାଚସ୍ପତି ନିର୍ବାଚନ ଶେଷ ହେବ । ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଅର୍ଥମନ୍ତ୍ରୀ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥାପିତ କରିବାର କାର୍ଯ୍ୟକ୍ରମ ରହିଛି।

Share