ବିଡିଓଙ୍କ ବଦଳି ଦାବି ନେଇ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଚେୟାରମ୍ୟାନ

କୋଟଗଡ଼,୧୬ା୬(ସରୋଜ ବଳିୟାରସିଂ): ବିଡିଓଙ୍କ ବଦଳି ଦାବି ନେଇ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ବ୍ଲକ ଚେୟାରମ୍ୟାନ। ଏଭଳି ଘଟଣା କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଦେଖିବାକୁ ମିଳିଛି। କିଛି ଦିନ ଧରି ବିଡିଓ ଅର୍ଜୁନ ପ୍ରଧାନ ଓ ବ୍ଲକ ଚେୟାରମ୍ୟାନ ପିଙ୍କି କହଁରଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏ ନେଇ ବ୍ଲକ ଚେୟାରମ୍ୟାନ ଓ ଜିଲା ପରିଷଦ ସରପଞ୍ଚ ଏବଂ ସମିତି ସଭ୍ୟ ଗତ ମଙ୍ଗଳବାରଠାରୁ ବ୍ଲକ କାର୍ଯ୍ୟଳୟରେ ତାଲା ପକାଇଛନ୍ତି। ଏମିତି କି ବିଡିଓ ଅର୍ଜୁନ ପ୍ରଧାନ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଣଦେଖା ସହ ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ କରୁ ନ ଥିବା ବ୍ଲକ ଚେୟାରମ୍ୟାନ ଅଭିଯୋଗ କରିଛନ୍ତି। ଏମିତି କି ବ୍ଲକର ୧୫ଟି ପଞ୍ଚାୟତର ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ବିଭିନ୍ନ ସମସ୍ୟା ନେଇ ତାଙ୍କ ପାଖକୁ ଆସୁଥିଲେ ମଧ୍ୟ ତାଙ୍କୁ ଅଣଦେଖା କରନ୍ତି ବୋଲି ଜନପ୍ରତିନିଧି ଅଭିଯୋଗ କରିଛନ୍ତି। ଏଣୁ ବିଡିଓ ଅର୍ଜୁନ ପ୍ରଧାନଙ୍କୁ ତୁରନ୍ତ କୋଟଗଡ଼ ବ୍ଲକରୁ ବଦଳି କରା ଯାଉ ବୋଲି ଦାବି କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ବିଡିଓଙ୍କୁ ବଦଳି କରା ନ ଯାଇଛି, ସେ ପର୍ଯ୍ୟନ୍ତ ବ୍ଲକରେ ତାଲା ଝୁଲିବା ସହ ଆନ୍ଦୋଳନ ତୀବ୍ରତର ହେବ ବୋଲି ବ୍ଲକ ଚେୟାରମ୍ୟାନ ପିଙ୍କି କହଁର, ଜିଲା ପରିଷଦ ସଭ୍ୟ ସୁନାମାଝି,ସରପଞ୍ଚ ସୁନିତା ମଲିକ, ଜଣାଇଛନ୍ତି। ଅନ୍ୟପଟେ ବିଡିଓ ଅର୍ଜୁନ ପ୍ରଧାନଙ୍କର ପ୍ରତିକ୍ରିୟା ଜାଣିବା ଲାଗି ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଦୀର୍ଘ ୪ ଦିନ ଧରି ବ୍ଲକରେ ତାଲା ଝୁଲୁଥିବା ଯୋଗୁ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ସୃଷ୍ଟି ହେବାରେ ଲାଗିଛି।

Share