ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ବାନ

ଅନୁଗୋଳ ଅଫିସ, ୮।୬ – ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କମ୍ପାନୀ କର୍ମଚାରୀ, ସ୍କୁଲ ଛାତ୍ରୀଛାତ୍ର ଏବଂ ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକମାନେ ଅଂଶଗ୍ରହଣ କରିବା ସହିତ ପରିବେଶର ସୁରକ୍ଷା ପାଇଁ ସଚେତନଧର୍ମୀ ଗଣଦୌଡ଼ରେ ଭାଗ ନେଇଥିଲେ। କମ୍ପାନୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅପରେଶନ) ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ର- ମେଟେରିଆଲ) ଦାମୋଦର ମିତ୍ତଲ ପତାକା ଦେଖାଇ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କମ୍ପାନୀ କର୍ମଚାରୀ ଏବଂ ପାର୍ଶ୍ୱବର୍ତ୍ତୀ ଗ୍ରାମର ଗ୍ରାମବାସୀ ପ୍ଲାଣ୍ଟ ପରିସରରେ ୫ଶହରୁ ଅଧିକ ଗଛ ଲଗାଇଥିଲେ। ଘରୁ ବାହାରୁଥିବା ଆବର୍ଜନାକୁ ପୃଥକୀକରଣ ପରେ ବୈଜ୍ଞାନିକ ପଦ୍ଧତିରେ ପୁନଃ ବ୍ୟବହାରଯୋଗ୍ୟ କରି ସମାଜ ଉପକାରରେ ଲଗାଇବାକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବନ୍ଦୋପାଧ୍ୟାୟ ଆହ୍ବାନ ଦେଇଥିଲେ। ସେହିପରି ନିଜ ପରିବେଶକୁ ସ୍ବଚ୍ଛ, ନିର୍ମଳ ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଅଧିକରୁ ଅଧିକ ଗଛ ଲଗାଇବାକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିତ୍ତଲ ନିବେଦନ କରିଥିଲେ। ପରେ ପରିବେଶ ଉପରେ ଏକ ଜଣାଅଜଣା ପ୍ରତିଯୋଗିତା କରାଯାଇ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ସହଯୋଗରେ ବଡ଼କେରଜଙ୍ଗ, ସାନକେରଜଙ୍ଗ, ଜରଡ଼ା, ମହିତଳା ଓ ଜିନ୍ଦଲନଗର ଅଞ୍ଚଳର ବହୁ ଛାତ୍ରୀଛାତ୍ରଙ୍କୁ ନେଇ ଏକ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କର୍ମଚାରୀଙ୍କ ନିମନ୍ତେ ଅନ୍‌ଲାଇନ୍‌ କ୍ୱିଜ ଏବଂ ମହିଳାମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। କମ୍ପାନୀ ପରିବେଶ ବିଭାଗ ମୁଖ୍ୟ ଆଲୋକ ସାହୁ, ସିଇଓ ଡି.କେ. ସରାଓଗୀ, ନିର୍ବାହୀ ନିର୍ଦ୍ଦେଶ (ପ୍ଲାଣ୍ଟ ହେଡ୍‌) ହୃଦୟେଶ୍ୱର ଝାଙ୍କ ସମେତ ଅନ୍ୟ ସମସ୍ତଙ୍କୁ ସହଯୋଗ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।