ସମୟର ଆହ୍ବାନ: ଏକ ସମୟରେ ନିର୍ବାଚନ

ଅନିଲ କୁମାର ବିଶ୍ୱାଳ

 

ଦେଶରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ବା ଏକ ରାଷ୍ଟ୍ର, ଏକ ନିର୍ବାଚନକୁ ନେଇ ଚର୍ଚ୍ଚା ଚାଲିଛି। ଏଠାରେ ଏକ ନିର୍ବାଚନ ଅର୍ଥ ନୁହେଁ ଗୋଟିଏ ନିର୍ବାଚନ। ଏହାର ଅର୍ଥ ଦେଶର ଲୋକ ସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହେବ। ଆମ ଦେଶରେ ଏବେ ଚାଲିଥିବା ନିର୍ବାଚନ ପରିଚାଳନା ସମ୍ବନ୍ଧିତ ବ୍ୟବସ୍ଥାରେ ଅସ୍ଥିରତା ଯୋଗୁ ବିଧାନସଭା ହେଉ ବା ଲୋକ ସଭା ବାରମ୍ବାର ଭାଙ୍ଗେ, ପୁଣି ନିର୍ବାଚନ ହୁଏ । ଯଦି ଆମେ ୧୯୫୧ ମସିହାରୁ ହିସାବ କରିବା ତା’ହେଲେ ଦେଶରେ ଆଜି ସୁଦ୍ଧା ୧୪ଥର ଲୋକ ସଭା ନିର୍ବାଚନ ହେବା କଥା, ଯେଉଁଠି ଏବେ ସୁଦ୍ଧା ହେଲାଣି ୧୭ ଥର। ଓଡ଼ିଶାରେ ତତ୍କାଳୀନ ରାଜନୈତିକ ଅସ୍ଥିରତା କାରଣରୁ ୧୯୭୧ରୁ ୧୯୮୦ ଭିତରେ ପ୍ରତି ୩ ବର୍ଷରେ ଥରେ ବିଧାନସଭା ନିର୍ବାଚନ ହୋଇଥିଲା। ଓଡ଼ିଶା ଭଳି ଗରିବ ରାଜ୍ୟ ମାତ୍ର ୯ ବର୍ଷରେ ୪ ଥର ବିଧାନସଭା ନିର୍ବାଚନର ବ୍ୟୟ ସମ୍ଭାଳିଥିଲା। ଅନାବଶ୍ୟକ ଓ ଅପ୍ରତ୍ୟାଶିତ ନିର୍ବାଚନ ଦ୍ୱାରା ଦେଶର ରାଜସ୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ । ଖାଲି ଦେଶର ଖଜଣାଖାନାରୁ ଯାଉନି, ବରଂ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟ ନିର୍ବାଚନ ଜିତିବା ପାଇଁ ପାଣି ଭଳିଆ ଅର୍ଥ ଖର୍ଚ୍ଚ କରୁଛନ୍ତି। ରାଜନୈତିକ ଦଳଗୁଡ଼ିକ ଖର୍ଚ୍ଚ କରୁଥିବା ଏହି ଅର୍ଥ କାହାର ? ଏହା ଲୋକମାନଙ୍କର ପଇସା। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଲଢ଼ନ୍ତି ବିଭିନ୍ନ କର୍ପୋରେଟ, କମ୍ପାନୀ, ଠିକାଦାରଙ୍କ ପଇସାରେ। ପରେ କ’ଣ ହୁଏ। ଯେଉଁମାନେ ପଇସା ଦେଇଥାନ୍ତି ସେହିମାନେ ଅନୁଗୃହୀତ ହୁଅନ୍ତି। ୧ ଟଙ୍କାର କାମକୁ ୧୦ ଟଙ୍କାରେ କରନ୍ତି ନ ହେଲେ ପ୍ରାକୃତିକ ସମ୍ପଦକୁ ଶାଗମାଛ ଦରରେ ପାଆନ୍ତି । ସବୁକ୍ଷେତ୍ରରେ ଦେଶର କ୍ଷତି ହୋଇଥାଏ। ଦେଶର କ୍ଷତି ମାନେ ଲୋକଙ୍କର କ୍ଷତି ହୁଏ । ୨୦୧୯ ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳ ୬୦ ହଜାର କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିଲେ ବୋଲି ରିପୋର୍ଟମାନ ପ୍ରକାଶ ପାଇଥିଲା। ସେହିପରି ନିର୍ବାଚନ ପରିଚାଳନାରେ ସରକାରୀ ଅର୍ଥ ବି ଖର୍ଚ୍ଚ ହୋଇଥିଲା; ଯାହାର ପରିମାଣ ଥିଲା ୧୦ ହଜାର କୋଟି ଟଙ୍କା ।
ଭାରତରେ ନିର୍ବାଚନ ପରିଚାଳନା ପାଇଁ ବିପୁଳ ସଂଖ୍ୟାରେ ସରକାରୀ କର୍ମଚାରୀଙ୍କ ଆବଶ୍ୟକତା ପଡ଼େ। ସେହି ସମୟରେ ସେମାନେ ନିର୍ବାଚନ ପରିଚାଳନା ଛଡ଼ା ଅନ୍ୟ କୌଣସି କାମ କରିପାରନ୍ତି ନାହିଁ। ଯଦି ଦେଶରେ ବା କୌଣସି ରାଜ୍ୟରେ ୫ ବର୍ଷ ପୂର୍ବରୁ ନିର୍ବାଚନ ହୁଏ ବା ବାରମ୍ବାର ନିର୍ବାଚନ ହୁଏ ତା’ହେଲେ ଏହା ଏକ ପ୍ରକାର ଦେଶର ସିଧାସଳଖ ଆର୍ଥତ୍କ କ୍ଷତି ବୋଲି ମାନିବାକୁ ପଡ଼ିବ। ବର୍ଷ ସାରା ନିର୍ବାଚନ ଲାଗି ରହୁଥିବାରୁ ଆମର ପ୍ରଶାସନ, ଶିକ୍ଷା, ଅର୍ଥନୀତି, ରାଜନୀତି, ଜନମଙ୍ଗଳ କାର୍ଯ୍ୟକ୍ରମ ବିଶେଷ ଭାବରେ ପ୍ରଭାବିତ ହେଉଛି। ଏକ ସମୟରେ ନିର୍ବାଚନ ହେଲେ ଦେଶର ପ୍ରଶାସନିକ କଳ, ସୁରକ୍ଷା ବାହିନୀ ଆଦିର ମାନବ ସମ୍ବଳର ସଞ୍ଚୟ ହେବ। ନିର୍ବାଚନରେ ଶିକ୍ଷକମାନେ ପରିଚାଳନା ଦାୟିତ୍ୱ ତୁଲାଉଥିବାରୁ ପ୍ରତିବର୍ଷ ନଷ୍ଟ ହେଉଥିବା ଶିକ୍ଷାଦାନର କାର୍ଯ୍ୟ ଦିବସ ବଞ୍ଚିଯିବ। ପ୍ରତି ବର୍ଷ ଦେଶରେ କେଉଁଠି ନା କେଉଁଠି ନିର୍ବାଚନ ଥାଏ। ସେଥିପାଇଁ ଆଚରଣ ସଂହିତା ଲାଗିବା ବେଳେ ବିକାଶମୂଳକ କାମରେ ବାଧା ଆସେ। ଖାଲି ସେତିକି ନୁହେଁ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟକୁ ସେହି ଆର୍ଥତ୍କ ବର୍ଷରେ ବେଶି ପ୍ୟାକେଜ ମିଳେ; ଯାହା ଅନ୍ୟ ରାଜ୍ୟର ସଂଘୀୟ ଅଧିକାରକୁ କ୍ଷୁଣ୍ଣ କରେ। ଏକ ସମୟରେ ନିର୍ବାଚନ ଏହି ଆଞ୍ଚଳିକ ତୁଷ୍ଟୀକରଣ ରାଜନୀତିର ସମାପ୍ତି କରାଇବ। ଖାଲି ସେତିକି ନୁହେଁ, ଦେଶରେ ଧର୍ମ ବା ଜାତିବାଦର ଯେଉଁ ଧ୍ରୁବୀକରଣ ହେଉଛି ତାହା ପଛରେ ଏକ କାରଣ ମଧ୍ୟ ନିର୍ବାଚନ। ସ୍ବାଭାବିକ ଭାବରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ହେଲେ ଏହି ଧ୍ରୁବୀକରଣ କମିପାରିବ । ବିଭିନ୍ନ ରାଜନୈତିକ ବ୍ୟବସ୍ଥା ସହିତ ଜଡିତ ହୋଇ ଚାଲୁଥିବା କଳା ଟଙ୍କାର ସମାନ୍ତରାଳ କାରବାର ଉପରେ ରୋକ ଲାଗିପାରିବ। ଏହାର କାରଣ ହେଉଛି ଏକ ସମୟରେ ନିର୍ବାଚନ ହେଲେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ବାରମ୍ବାର ନିର୍ବାଚନକୁ ସମ୍ମୁଖୀନ ହେବାର ଯେଉଁ ଭୟ ରହୁଥିଲା ତାହା ଆଉ ରହିବନି।
୧୯୫୨ରୁ ୧୯୬୭ ପର୍ଯ୍ୟନ୍ତ କ୍ରମାଗତ ଚାରିଟି ଯାକ ନିର୍ବାଚନ ଦେଶରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହୋଇଥିଲା। ଓଡ଼ିଶାରେ ୨୦୦୪ ପରଠାରୁ ଏକ ସମୟରେ ଉଭୟ ନିର୍ବାଚନ ହୋଇଆସୁଛି। ସେ ଦୃଷ୍ଟିରୁ ଓଡ଼ିଶା ଦେଶରେ ଆଦର୍ଶ ରାଜ୍ୟ। ୧୯୭୧ରେ ହୋଇଥିବା ଲୋକ ସଭା ନିର୍ବାଚନ ପ୍ରଥମ ନିର୍ବାଚନ ଥିଲା; ଯେଉଁଥିରେ ପ୍ରଥମ ଥର ପାଇଁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇ ନ ଥିଲା।
୧୯୬୮ରେ ପ୍ରଥମେ ହରିୟାଣାରେ, ୧୯୬୯ରେ ପଶ୍ଚିମବଙ୍ଗ, ପଞ୍ଜାବରେ ନିର୍ବାଚନ ହେବା ଦ୍ୱାରା ଏକ ସମୟରେ ନିର୍ବାଚନ ହେବାର ପରମ୍ପରା ଭାଙ୍ଗିଥିଲା।
୧୯୮୩ରେ ନିର୍ବାଚନ କମିଶନ ତାଙ୍କ ରିପୋର୍ଟରେ ଏକ ସମୟରେ ନିର୍ବାଚନ ପୁନଃ ପ୍ରଚଳନ ସପକ୍ଷରେ ମନ୍ତବ୍ୟ ଦେଇଥିଲେ।୧୯୯୯ରେ ଜାତୀୟ ଆଇନ କମିଶନ ତାଙ୍କର ୧୭୦ ତମ ରିପୋର୍ଟରେ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ସପକ୍ଷରେ ଯୁକ୍ତି କରିଥିଲେ। ଏହି ସୁପାରିସ ଅନୁସାରେ ବିରୋଧୀ ଦଳ ଶାସକ ଦଳ ବିରୋଧରେ ଯେତେବେଳେ ଅନାସ୍ଥା ପ୍ରସ୍ତାବ ଆଣିବେ ସେତେବେଳେ ନୂଆ ବିକଳ୍ପ ନେତାଙ୍କର ନାମ ଓ ସମର୍ଥକଙ୍କ ସଂଖ୍ୟା ରହିବା ବାଧ୍ୟତାମୂଳକ ହେବ; ଯାହା ଫଳରେ ୫ ବର୍ଷ ପୂର୍ବରୁ ଆଉ ଥରେ ନିର୍ବାଚନର ଆବଶ୍ୟକତା ପଡ଼ିବ ନାହିଁ। ୨୦୧୫ରେ ଜାତୀୟ ଆଇନ କମିଶନ ତାଙ୍କର ରିପୋର୍ଟରେ ଓ ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କମିଟି ତାଙ୍କର ୭୯ତମ ରିପୋର୍ଟରେ ବି ଏହି ସମାନ ବିଷୟ ରଖିଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଏହା ସପକ୍ଷରେ କହିଥିଲେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନର ଉଦ୍ଦେଶ୍ୟ ମହତ। ଏହି ଏକ ସମୟରେ ନିର୍ବାଚନରେ ସ୍ଥାନୀୟ ପଞ୍ଚାୟତ ବା ନଗର ପାଳିକାର ନିର୍ବାଚନ କରାଯିବାକୁ ସାମିଲ କରାଯାଇପାରିବ କି ନାହିଁ ତାହା ଉପରେ ବି ବିତର୍କର ଆବଶ୍ୟକତା ରହିଛି। ଇଂଲଣ୍ଡ, ଇଣ୍ଡୋନେସିଆ, ଜର୍ମାନୀ, ସୁଇଡେନ, ଦକ୍ଷିଣ ଆଫ୍ରିକା ଭଳି ଅନେକ ଦେଶ ଏଫଟିପି ବା ଫିକ୍ସଡ ଟର୍ମ ପାର୍ଲାମେଣ୍ଟ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହି ପ୍ରକ୍ରିୟାରେ ସଂସଦର କାର୍ଯ୍ୟକାଳ ନିର୍ଦ୍ଦିଷ୍ଟ। ସେହିଭଳି ଫିଲିପାଇନ୍‌ସ, ହଙ୍ଗେରି, ପୋଲାଣ୍ଡ, କୋଷ୍ଟାରିକା, ବଲିଭିଆ, ଇଣ୍ଡୋନେସିଆ, ସ୍ପେନ, ବେଲଜିୟମ, ପୋଲାଣ୍ଡ ଆଦି ଦେଶରେ ସମସ୍ତ ସ୍ତରର ନିର୍ବାଚନ ଏକ ସମୟରେ ହୁଏ।
ଏହି ପ୍ରସ୍ତାବକୁ ଯେଉଁ ରାଜନୈତିକ ଦଳଗୁଡ଼ିକ ବିରୋଧ କରୁଛନ୍ତି ସେମାନଙ୍କର ଯୁକ୍ତି ହେଲା ଯେ ଏହି ପ୍ରସ୍ତାବ ପଛରେ ରାଜନୈତିକ ଅଭିସନ୍ଧି ରହିଛି, ଏହା ଦ୍ୱାରା ଜାତୀୟ ଦଳଗୁଡ଼ିକୁ ଲାଭ ହେବ। ଲୋକମାନେ ଜାତୀୟ ହାଓ୍ବାରେ ଭାସିଯାଇ ବିଧାନସଭାର ଭୋଟଗୁଡ଼ିିକ ଲୋକ ସଭା ଆଧାରରେ ଦେଇଦେବେ। ହେଲେ ଏହି ଅଭିଯୋଗ ବା ଆକଳନ ଭୁଲ୍‌ । କାରଣ ଓଡ଼ିଶାରେ ତ ଏକ ସମୟରେ ନିର୍ବାଚନ ହେଉଛି। କାହିଁ ଏଠାରେ ତ ଜାତୀୟ ଦଳଗୁଡ଼ିକ ସରକାର କରିପାରିଲେ ନାହିଁ। ୨୦୧୯ ନିର୍ବାଚନରେ ଓଡ଼ିଶାରେ ଭାଜପାର ଲୋକ ସଭା ଭୋଟ ସଂଖ୍ୟା ୯୧ ଲକ୍ଷ ହୋଇଥିବା ବେଳେ ବିଧାନସଭା ଭୋଟ ସଂଖ୍ୟା ଥିଲା ୭୭ ଲକ୍ଷ। ଯଦି ଏକ ସମୟରେ ନିର୍ବାଚନରେ ଭୋଟରମାନେ ଜାତୀୟ ରାଜନୀତି ହାଓ୍ବାରେ ଭଳି ଯାଉଥାନ୍ତେ ତା’ହେଲେ ଓଡ଼ିଶାରେ ଭାଜପା ୧୪ ଲକ୍ଷ ଭୋଟ ବିଧାନସଭାରେ କମ୍‌ ପାଇଲା କିପରି? ସେହିପରି ୧୯୬୭ରେ ହୋଇଥିବା ନିର୍ବାଚନ; ଯେଉଁଥିରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହୋଇଥିଲା ଓଡ଼ିଶାରେ କଂଗ୍ରେସ ଦଳ ମାତ୍ର ୩୧ଟି ବିଧାନସଭା ଆସନ ଜିତି ତୃତୀୟ ସ୍ଥାନରେ ଥିଲା କିନ୍ତୁ କେନ୍ଦ୍ରରେ କଂଗ୍ରେସ ସରକାର ଆସିଥିଲା। ଖାଲି ଓଡ଼ିଶା ନୁହେଁ ସେହି ସମୟରେ କେରଳରେ କମ୍ୟୁନିଷ୍ଟ ଦଳ ବି ବିଧାନସଭା ନିର୍ବାଚନ ଜିତିଥିଲା। ମାଡ୍ରାସ ବିଧାନସଭା (ଆଜିର ତାମିଲନାଡୁ)ରେ ଡିଏମ୍‌କେ ୧୭୯ଟି ଆସନ ଜିତିଥିବା ବେଳେ କଂଗ୍ରେସ ଜିତିଥିଲା ମାତ୍ର ୫୧ ଆସନ। ତେଣୁ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ଅଲଗା ଅଲଗା ଦଳକୁ ଭୋଟ ଦେବା ଏବଂ ଜାତୀୟ ଦଳର ପ୍ରଚାରରେ ପ୍ରଭାବିତ ନ ହେବା ଭାରତୀୟ ଭୋଟରଙ୍କ ପାଇଁ ନୂଆ ନୁହେଁ। କୁହାଯାଉଛି ଯେ, ଭୋଟରମାନେ ସ୍ଥାନୀୟ ସମସ୍ୟାକୁ ଭୁଲି ରାଷ୍ଟ୍ରୀୟ ସମସ୍ୟା ଓ ରାଷ୍ଟ୍ରୀୟ ନେତାଙ୍କ ଦ୍ୱାରା ଅଧିକ ପ୍ରଭାବିତ ହେବେ । ଛୋଟ ଛୋଟ ଦଳଗୁଡ଼ିକ ସମୟ କ୍ରମରେ ଅପ୍ରାସଙ୍ଗିକ ହୋଇଯିବେ। ଯେଉଁମାନେ ଏପରି କହୁଛନ୍ତି ସେମାନେ ଦେଶର ଭୋଟରଙ୍କ ବିଜ୍ଞତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ୧୯୫୧ରୁ ୧୯୬୭ ମଧ୍ୟରେ ହୋଇଥିବା ଏକକାଳୀନ ନିର୍ବାଚନ ବେଳେ ଦେଶରେ ବର୍ତ୍ତମାନ ଅପେକ୍ଷା ଅଧିକ ଲୋକ ନିରକ୍ଷର ଥିଲେ। ଏବେ ନିରକ୍ଷର ସଂଖ୍ୟା ବହୁତ କମ୍‌। ନିର୍ବାଚନ ପ୍ରକ୍ରିୟାରେ ଅନେକ ସଂସ୍କାର ମଧ୍ୟ ଆସିଛି।
ଦେଶରେ ଏହି ବ୍ୟବସ୍ଥା ପ୍ରଚଳନ କରିବାକୁ ହେଲେ ସମ୍ବିଧାନ ସଂଶୋଧନ କରି ବିଧାନସଭା ଓ ଲୋକ ସଭାର କାର୍ଯ୍ୟକାଳକୁ ଗୋଟିଏ ଦିନକୁ ଆଣିବାକୁ ହେବ। ଏଥିପାଇଁ ଆବଶ୍ୟକ ହେଲେ କେତେକ ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନ କରିବାକୁ ପଡ଼ିବ। ଆର୍ଟିକିଲ ୮୩ ଓ ୮୫ ଯାହା ସଂସଦର କାର୍ଯ୍ୟକାଳ ସହିତ ସମ୍ବନ୍ଧିତ, ଆର୍ଟିକିଲ ୧୭୨ ଓ ୧୭୪, ଯାହା ରାଜ୍ୟଗୁଡ଼ିକର ବିଧାନସଭାର କାର୍ଯ୍ୟକାଳ ସହିତ ଜଡ଼ିତ, ଆର୍ଟିକିଲ ୩୫୬ (ରାଷ୍ଟ୍ରପତି ଶାସନ), ଆର୍ଟିକିଲ ୩୨୪ (ନିର୍ବାଚନ କମିଶନଙ୍କ ସମ୍ପର୍କିତ), ଜନ ପ୍ରତିନିଧି ନିୟମ ୧୯୫୧ ଆଦିରେ ସଂଶୋଧନ କରିବାକୁ ପଡ଼ିବ। ସମ୍ବିଧାନ ସଂଶୋଧନ ପାଇଁ ଯେ କେନ୍ଦ୍ର ସରକାରଙ୍କ ପାଖରେ କିଛି ପ୍ରତିବନ୍ଧକ ଅଛି ତାହା ନୁହେଁ କାରଣ ସରକାରୀ ଦଳର ଉଭୟ ଗୃହରେ ସଂଶୋଧନ ଆଇନକୁ ପାରିତ କରାଇବା ପାଇଁ ସଂଖ୍ୟାର ଅଭାବ ନାହିଁ। କିନ୍ତୁ ଯାହା ବୁଝାପଡୁଛି , ସରକାର ଆଇନ ଆଣିବା ଆଗରୁ ସମସ୍ତ ବିରୋଧୀଙ୍କୁ ବି ଏହି ପ୍ରସଙ୍ଗରେ ଏକମତରେ ରାଜି କରାଇ ଆଇନ ଆଣିବା ପାଇଁ ଚାହୁଁଛନ୍ତି। ଏହା ଉପରେ ସାରା ଦେଶରେ ବିମର୍ଷ କରାଇବା ପାଇଁ ପ୍ରୟାସ କରୁଛନ୍ତି। ଭବିଷ୍ୟତରେ ନ୍ୟାୟିକ ବ୍ୟବସ୍ଥା ପଟରୁ ଯେପରି କୌଣସି ପ୍ରତିବନ୍ଧକ ନ ଆସେ ସେଥିପାଇଁ ମଧ୍ୟ ପ୍ରୟାସ ଚାଲିଛି।
ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳର ସୃଷ୍ଟି ନୁହେଁ। ଗଣତନ୍ତ୍ରରେ ଜନମତକୁ ସୁଯୋଗ ଦେବା ପାଇଁ ନିର୍ବାଚନ ହେଉଛି ଏକ ପ୍ରକ୍ରିୟା ବା ବ୍ୟବସ୍ଥା; ଯେଉଁଥିରେ ଲୋକମାନେ ସେମାନଙ୍କର ପ୍ରତିନିଧି ବାଛିବେ। ହେଲେ ଏହା ଯଦି ବୋଝ ହୋଇଯିବ ବା ରାଜକୋଷକୁ ଅଯଥାରେ ଖର୍ଚ୍ଚାନ୍ତ କରାଇବ, ଦେଶର ବିକାଶରେ ବାଧକ ସାଜିବ ତା’ହେଲେ ଏହା କେମିତି ଗ୍ରହଣୀୟ ହେବ। ରାଜନୈତିକ ଦଳଗୁଡ଼ିକ, ବୁଦ୍ଧିଜୀବୀମାନେ ଏହା ଉପରେ ବ୍ୟାପକ ଆଲୋଚନା କରିବାର ସମୟ ଆସିଛି।
ହରିରାଜପୁର, ପୁରୀ, ମୋ:୮୨୪୯୮୬୮୯୬୧