କାର୍ଯ୍ୟକ୍ଷମ ହୋଇପାରୁନି ଚମ୍ପୁଆ ପାଠାଗାର

ଚମ୍ପୁଆ,୯ା୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ସଦର ମହକୁମାରେ ଥିବା ପାଠାଗାର କାର୍ଯ୍ୟକ୍ଷମ ହୋଇପାରୁନି। ୨ ମାସ ହେବ ଚମ୍ପୁଆ ଏନ୍‌ଏସିକୁ ଏହା ହସ୍ତାନ୍ତର କରାଯାଇଥିବା ବେଳେ ବିଦ୍ୟୁତ୍‌ ସଂଯୋଗ, ପାନୀୟ ଜଳ ସୁବିଧା କରାଯାଇନାହିଁ। ଫଳରେ ପାଠାଗାର ଅଞ୍ଚଳର ଛାତ୍ରୀଛାତ୍ରଙ୍କ କାମରେ ଲାଗିପାରୁନି।
ସୂଚନା ମୁତାବକ, ତତ୍‌କାଳୀନ ଉପଜିଲାପାଳ ପ୍ରତାପ ପ୍ରୀତିମୟଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ପାଠକଙ୍କ ଦାବିକୁ ନେଇ ଜିଲା ଖଣିଜ ପାଣ୍ଠି ସହାୟତାରେ ୩୩ ଲକ୍ଷ ୪୩ ହଜାର ୪୬୨ ଟଙ୍କା ବ୍ୟୟ ଅଟକଳରେ ପାଠାଗାର କଚେରି ପଡ଼ିଆଠାରେ ନିର୍ମାଣ କରାଯାଇଥିଲା। ପାଠାଗାରଟି ୨ ମାସ ହେବ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଚମ୍ପୁଆ ଏନ୍‌ଏସିକୁ ହସ୍ତାନ୍ତର କରାଯାଇଛି। ମାତ୍ର ପାଠାଗାରରେ ବିଦ୍ୟୁତ୍‌, ପୁସ୍ତକ, ପାନୀୟ ଜଳ ବ୍ୟବସ୍ଥା ହୋଇପାରୁ ନ ଥିବାରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ହସ୍ତାନ୍ତର ପରେ ଏନ୍‌ଏସି ପକ୍ଷରୁ ପୁସ୍ତକ ରଖିବା ପାଇଁ ଆଲମିରା ଓ ଟେବୁଲ, ଚେୟାର ଯୋଗାଇ ଦିଆଯାଇଥିବା ବେଳେ ପୁସ୍ତକ ନାହିଁ। ଏ ନେଇ ଅଞ୍ଚଳବାସୀ ବର୍ତ୍ତମାନର ଉପଜିଲାପାଳ ସୁକାନ୍ତ ମାଝିଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଏନ୍‌ଏସି ସହକାରୀ ଯନ୍ତ୍ରୀ ସୁଧାକର ଦାସଙ୍କୁ ଡକାଇ ସବିଶେଷ ବିଷୟ ବୁଝିଥିଲେ। ପରେ ନିଜେ ଯାଇ ଏହି ନୂତନ ଗୃହ ବୁଲି ଦେଖିବା ସହ ତୁରନ୍ତ ବିଦ୍ୟୁତ୍‌ ଏବଂ ପାଣି ସଂଯୋଗ, ପାଠାଗାର ମଧ୍ୟରେ ଉପାଦେୟ ଷ୍ଟିକରିଂ, ଛୋଟ ପିଲାମାନେ ଯେପରି ପାଠାଗାରର ସୁବିଧା ପାଇପାରିବେ ସେ ନେଇ ଆବଶ୍ୟକ ଉପକରଣ ଯୋଗାଇଦେବାକୁ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଠାଗାରରେ ରଖା ଯିବାକୁ ଥିବା ପୁସ୍ତକ, ମାଗାଜିନ୍‌ ଆଦିର ଆବଶ୍ୟକତା ସମ୍ବନ୍ଧରେ ତୁରନ୍ତ ଅବଗତ କରିବାକୁ ସୂଚନା ଦେଇଥିଲେ।

Share