ଯୁକ୍ତ୨ ପରୀକ୍ଷା ବାତିଲ ସମ୍ଭାବନା ବଢୁଛି, ଆଜି ନିଷ୍ପତ୍ତି

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ସମୀର ରଞ୍ଜାନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ସଚିବ, ସିଏଚଏସଇ ଅଧ୍ୟକ୍ଷ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଗକୁ ଯୁକ୍ତ୨ ପରୀକ୍ଷା ହେବା ଉପରେ ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବିଭାଗୀୟ ଅଧିକାରୀମାନେ ଯୁକ୍ତ ୨ର ବାକିଥିବା ପରୀକ୍ଷା ସବୁ ବନ୍ଦ କରିଦେବା ନେଇ ନିଜ ମତ ରଖିଛନ୍ତି। ଅନ୍ୟ କେତେଗୁଡିଏ ରାଜ୍ୟ କୋଭିଡ-୧୯ ଯୋଗୁ ଯୁକ୍ତ ୨ ପରୀକ୍ଷା ବାତିଲ କରିଦେଇଛନ୍ତି। ରାଜ୍ୟ ସରକାର ବିଭିନ୍ନ ଉପାୟରେ ପରୀକ୍ଷା କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ନିୟମ ମାନି ପରୀକ୍ଷା କରାଇବା ସମ୍ଭବପର ନୁହେଁ ବୋଲି ମତ ରଖିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହମତି ପାଇଁ ଫାଇଲ ପଠାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ମଙ୍ଗଳବାର ଘୋଷଣା କରାଯିବ ବୋଲି ସୂତ୍ରରୁ ଜଣାପଡିଛି।

Share