ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ ଅଫିସ,୨୧ା୫: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶନିବାର ପୁରୀରେ ପହଞ୍ଚିଛି ରଥ ଦଉଡ଼ି। ୧୨ଟି ରଥ ଟଣା ଦଉଡ଼ି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡ଼ି ପ୍ରସ୍ତୁତ କରୁଥିଲେ। ତେବେ ଆଜି ଏହି ଦଉଡ଼ି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି। ଏହି ରଥ ଦଉଡ଼ିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ମୋଟେଇ ରହିଛି ୮ ଇଞ୍ଚ।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ମହାପ୍ରଭୁଙ୍କ ରଥଯାତ୍ରା ଗତ ଦୁଇବର୍ଷ ହେଲା କେବଳ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଥିଲା। ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଟଣା ହେବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।

Share