ପୁରୀ ଅଫିସ,୩୧ା୫:ରଥ ନିର୍ମାଣ ବେଳେ ଅଖ ଓ ଚକରେ ଫାଟ ଦେଖିବାକୁ ମିଳିଥିଲା। ଏନେଇ ଏକ୍ସପର୍ଟ କମିଟି ସୋମବାର ରଥଖଳାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛି। ଯେଉଁ ଚକ ଓ ଅଖରେ ଫାଟ ହୋଇଛି ତାହାକୁ କ୍ଲାମ୍ପ ଦେଇ ମରାମତି କରାଯିବ ବୋଲି ଏକ୍ସପର୍ଟ କମିଟି କହିଛି। କମିଟିରେ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ୍.ସି ପାଲ୍, ବିନ୍ଧେଶ୍ୱର ପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଓ ପୂର୍ତ୍ତ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର ପ୍ରମୁଖ ସାମିଲ ଥିଲେ। ମହାପାତ୍ର କହିଛନ୍ତି, ରଥଖଳାକୁ ଯାଇ ସ୍ଥିତି ସମୀକ୍ଷା କରାଯାଇଛି। ରଥ ନିିର୍ମାଣ ବେଳେ ଅନେକ ଫାଟ ହେବ ଓ ତାହାକୁ କ୍ଲାମ୍ପ ଦେଇ ମରାମତି କରାଯିବ। ରଥଖଳାରେ ମହାରଣାମାନଙ୍କ ସହ ଆଲୋଚନା ହୋଇଛି। ସମୟକ୍ରମେ ମରାମତି ଜାରି ରହିବ। ଅନ୍ୟପକ୍ଷରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି, ଚକ ଅଖର ସ୍ଥିତି ଠିକ୍ ରହିଛି। ଗୋଟିଏ ଚକରେ ଫାଟ ପଡ଼ିଛି। ସେଠାରେ କ୍ଲାମ୍ପ ଦିଆଯିବ। ରଥଖଳା ବାହାରେ ନିିର୍ମାଣ ହୋଇ ରହିଥିବା ଚକଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ମହାରଣାମାନଙ୍କ ସହ ଏକ୍ସପର୍ଟ ଟିମ୍ ଆଲୋଚନା କରିଥିଲେ।