ସେମାନେ ଏବେ ଏବର ଭାଷା ସହିତ ସଂପୃକ୍ତ ରସାୟନଗୁଡିକ ଉପରେ ଅଧ୍ୟୟନ ଚଳାଇଛନ୍ତି। ତାଙ୍କ ଦ୍ୱାରା ଅନୁଷ୍ଠିତ ଏକ ସଦ୍ୟ ପରୀକ୍ଷା ଏବର ମତବାଦ ଉପରେ ବିଶ୍ୱାସ ଆଣିଥାଏ। ଏଥିରେ ସେମାନେ ୪୫ଟି ଜଣାଶୁଣା ଉଦ୍ଭିଦଙ୍କୁ କୁଣ୍ଡରେ ଲଗାଇ ତହିଁରୁ ୩୦ଟିକୁ ଗୋଟିଏ ପ୍ରକୋଷ୍ଠରେ ଓ ଅନ୍ୟ ୧୫ଟିକୁ ତାହାର ଅନେକ ଦୂରରେ ଅନ୍ୟ ଏକ ପ୍ରକୋଷ୍ଠ ମଧ୍ୟରେ ରଖିଲେ। ତତ୍ପରେ ପ୍ରଥମ ପ୍ରକୋଷ୍ଠର ୧୫ଟି ଉଦ୍ଭିଦରୁ ପତ୍ରକୁ ଯନ୍ତ୍ର ସାହାଯ୍ୟରେ ଚିରି ଦେଲାବେଳେ ଅନ୍ୟ ୧୫ଟିକୁ ପୂର୍ବ ଭଳି ରହିବାକୁ ଦେଲେ। ପ୍ରାୟ ୫୦ ଘଣ୍ଟା ପରେ ସେମାନେ ତାହାର ପତ୍ରଗୁଡିକରେ କୀଟପତଙ୍ଗ ପାଇଁ ଅରୁଚିକର ‘ଫିନୋଲିକ୍’ ଯୌଗିକମାନଙ୍କ ସନ୍ଧାନ ନେଲେ। ଫଳରେ ଜଣାପଡ଼ିଲା ଯେ ଏ ପ୍ରକୋଷ୍ଠର ଚିରା ହୋଇଥିବା ଏବଂ ତାହା ନ ହୋଇଥିବା ଉଭୟ ପ୍ରକାର ପତ୍ରରେ ଏହି ରସାୟମାନ ରହିଛି। ଅତଏବ ଚିରା ପତ୍ରଯୁକ୍ତ ୧୫ଟି ଉଦ୍ଭିଦ ସେମାନଙ୍କର ପଡ଼ୋଶୀ ୧୫ଟିକୁ ଆଗତ ପ୍ରାୟ ବିପଦର ସୂଚନା ଦେଇଛନ୍ତି ଏବଂ ସେହି ଅନୁସାରେ ସେଗୁଡିକ ମଧ୍ୟ ଏ ରସାୟନ ଉତ୍ପନ କରିଛନ୍ତି। କିନ୍ତୁ,ଅନ୍ୟପକ୍ଷରେ ଦୂର ହେଉଥିବା ଉଦ୍ଭିଦମାନଙ୍କ ନିକଟରେ ଏ ସୂଚନା ପହଞ୍ଚତ୍ ପାରିଲା ନାହିଁ। ତେଣୁ ସେମାନଙ୍କର ପତ୍ରରେ ଏହା ଉତ୍ପନ ହୋଇପାରିନାହିଁ।
ବୈଜ୍ଞାନିକମାନେ ମନେ କରନ୍ତି ଯେ, ଗୋଟିଏ ଗଛର ପତ୍ରଗୁଡିକର ପରସ୍ପର ମଧ୍ୟରେ ଯୋଗାଯୋଗ ଦୁଇଟି ଭିନ୍ନ ଭନ୍ନ ଗଛର ପତ୍ରମାନଙ୍କର ତୁଳନାରେ ଅଧିକ। କୀଟପତଙ୍ଗ ଇତ୍ୟାଦି ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ପତ୍ର ଅଲଗା ଅଲଗା ପ୍ରତିରକ୍ଷା ପନ୍ଥା ଅବଲମ୍ବନ କରନ୍ତି। ଫଳରେ ଶତ୍ରୁମାନେ ଏ ସମ୍ପର୍କରେ ଜାଣିବାର ସୁଯୋଗ ପାଆନ୍ତି ନାହିଁ। ଏ ଖେଳ ଚାଲିଥାଏ ଅବିରତ ଭାବେ। ଅଧିକାଂଶ ସ୍ଥଳେ ରୁଚିକର ପତ୍ରଟିଏ ବିଷାକ୍ତ ପତ୍ର ଦ୍ୱାରା ସୁରକ୍ଷିତ ରହେ।
ଗଛଗୁଡ଼ିକର ଏଭଳି ଭାବର ଆଦାନ ପ୍ରଦାନ ସମ୍ପର୍କୀୟ ଏବର ମତବାଦ ମଧ୍ୟ ସମ୍ପୂର୍ଣ୍ଣରୂପେ ବୋଧଗମ୍ୟ ହୋଇପାରିଲାନାହିଁ। ବୈଜ୍ଞାନିକମାନେ ତଥାପି ଏ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ପ୍ରମାଣିତ ହେଲେ ଏହା ଉଦ୍ଭିଦ ବିଜ୍ଞାନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହେବ। ତହିଁରୁ ଉଦ୍ଭିଦମାନଙ୍କର ସାମୂହିକ ଆଚରଣ ସମ୍ପର୍କରେ ଅନେକ ତଥ୍ୟ ଉନ୍ମୋଚିତ ହୋଇପାରିବ। ଅତଏବ ମଣିଷ ହୁଏତ ସେମାନଙ୍କ ପ୍ରତି ପ୍ରଦର୍ଶନ କରି ଆସୁଥିବା ରୁକ୍ଷ ଓ ନିର୍ଦ୍ଦୟ ଆଚରଣକୁ ବଦଳାଇବାକୁ ଚିନ୍ତା କରିବ।
(ଶେଷ ଭାଗ)
-ପ୍ର. ରମେଶ ଚନ୍ଦ୍ର ପରିଡ଼ା ଉଷାନିବାସ, ୧୭୪/୨୪୪୫,
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦