ପାଠକେ, ଏଇ ପ୍ରବନ୍ଧ ଲେଖିବା ବେଳକୁ ରୁଷିଆ-ୟୁକ୍ରେନ, ଇସ୍ରାଏଲ ହମାସ/ଗାଜା ସମେତ ପୃଥିବୀର ଆଉ କିଛି ଅଞ୍ଚଳରେ ସାମରିକ ସଂଘର୍ଷ ଅବ୍ୟାହତ ରହିଛି। ତଥ୍ୟ ଅନୁସାରେ ଆଫଗାନିସ୍ତାନ, ଇଥିଓପିଆ, ଦକ୍ଷିଣ ସୁଦାନ, ସିରିଆ, ଲିବିଆ, ମାଲି ଏବଂ ସୋମାଲିଆରେ ଗୃହ ଯୁଦ୍ଧ/ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ରହିଛି। ପର୍ଯ୍ୟବେକ୍ଷକମାନେ କୁହନ୍ତି, ବିଂଶ ଶତାବ୍ଦୀରୁ ଏଯାଏ ଏମିତି ସମୟ କାହିଁ ଯେଉଁ ସମୟ ଖଣ୍ଡରେ ଯୁଦ୍ଧ ହୋଇନାହିଁ। ଐତିହାସିକଙ୍କ ମତ, ଯେତେବେଳେ ଆଦିମ/ପ୍ରାଗ୍-ଐତିହାସିକ ମଣିଷ ପୃଥିବୀରେ ବିଚରଣ ଆରମ୍ଭ କରିଥିଲା ସେତେବେଳେ ଖାଦ୍ୟ ପାଇଁ ମୁଖ୍ୟତଃ ସେ ନିର୍ଭର କରୁଥିଲା ଶିକାର ଉପରେ। ଦଳବଦ୍ଧ ଚଳଣି ସେଇ କ୍ରମରେ ସାମାନ୍ୟ ବିଳମ୍ବରେ ଆସିଥିଲା, ତେବେ ଜୀବନ ତା’ ପରଠୁ କ୍ରମଶଃ ସରଳ ଓ ସୁନ୍ଦର ହେଲା। ସମସ୍ତେ ସବୁ କାମ କରିବା ଆବଶ୍ୟକ ପଡ଼ିଲା ନାହିଁ। ଯୋଗ୍ୟତା ଅନୁସାରେ କାମ ବାଣ୍ଟି ଦିଆଗଲା। ୟା ସତ୍ତ୍ୱେ ସବୁବେଳେ ଦଳ ଭିତରେ ସୁସମ୍ପର୍କ/ସଦ୍ଭାବ ନ ଥିଲା ଏବଂ ଏହାର ପରିଣତି ହେଉଥିଲା ସଂଘର୍ଷ। ନୃତତ୍ତ୍ୱବିତ୍ମାନେ କୁହନ୍ତି, ସଭ୍ୟତାର ଆଦି କାଳରେ ଗୋଟିଏ ଦଳ ଆଉ ଗୋଟିଏ ଦଳ ସହିତ ଲଢୁଥିଲା ଖାଦ୍ୟ ପାଇଁ, ବାସସ୍ଥାନ ପାଇଁ ଏବଂ ଜମି ଦଖଲ କରିବା ପାଇଁ। ସଂଘର୍ଷ ହିଂସାକାଣ୍ଡର ରୂପ ବି ନେଉଥିଲା ଯଦିଓ ଆମ ସମୟର ହିଂସାକାଣ୍ଡଠୁ ସେତେବେଳେ ହିଂସାର ସ୍ବରୂପ ଭିନ୍ନ ଥିଲା।
ଐତିହାସିକମାନେ ବିଶ୍ୱାସ କରନ୍ତି ଯେ, ଦଳ-ଦଳ ଭିତରେ ସଂଘର୍ଷ ଆମ ଲିଖିତ ଇତିହାସ ପୂର୍ବରୁ ଘଟିଥାଇ ପlରେ। କିଛି ଗବେଷକଙ୍କ ମତ ସମ୍ଭବତଃ ପ୍ରଥମ ପ୍ରାକ୍-ଐତିହାସିକ ଯୁଦ୍ଧ ସୁଦୂର ଅତୀତରେ ଆମ ପୂର୍ବଜମାନେ ଲଢ଼ିଥିଲେ ମିଶର-ସୁଦାନ ସୀମାରେଖା ନିକଟରେ, ନୀଳ ନଦୀ କୂଳରେ। ପ୍ରତ୍ନତତ୍ତ୍ୱବିତ୍ମାନେ ଅନ୍ୟ ଏକ ସ୍ଥାନରେ ବେଶ୍ କିଛି ମୃତକଙ୍କ ଅବଶେଷର ପରିଚୟ ପାଇଛନ୍ତି, ଯେଉଁ ଅବଶେଷରେ ତୀର (ଧନୁ) ଫୁଟି ରହିଛି। ଆକଳନ କରାଯାଉଛି, ଏହା ୧୩୦୦୦ ବର୍ଷ ପ୍ରାଚୀନ ଏକ ସଂଘର୍ଷର ପରିଣାମ। ଅନ୍ୟ ଅର୍ଥରେ ୟୁରୋପରେ ଏହା ମଧ୍ୟ-ପ୍ରସ୍ତର ଯୁଗ ସହିତ ସମକାଳୀନ। ଐତିହାସିକମାନେ ଏହି ସମୟ ୧୩୦୦୦ ବର୍ଷରୁ ୧୦୦୦୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ହୋଇପାରେ ବୋଲି ସ୍ବୀକାର କରିଛନ୍ତି।
କିଛି ଗବେଷକମାନେ ଏକଥା ମଧ୍ୟ ବିଶ୍ୱାସ କରନ୍ତି ଯେ, ଇତିହାସରେ ପ୍ରଥମ ଲିଖିତ ଯୁଦ୍ଧ ଲଢ଼ାଯାଇଥିଲା ଖ୍ରୀଷ୍ଟପୂର୍ବ ୨୭୦୦ରେ ସୁମେର ଏବଂ କିସର ଶାସକଙ୍କ ମଧ୍ୟରେ (କିସ୍ ବାଗଦାଦରୁ ୮୦ କିଲୋମିଟର ଦକ୍ଷିଣରେ)। ପ୍ରାଚୀନ ମେସୋପଟାମିଆନ ମାନଙ୍କ ବିଶ୍ୱାସ ଥିଲା କିସ୍ ହେଉଛି ପୃଥିବୀର ପ୍ରଥମ ନଗରୀ, ଯେଉଁଠି ରାଜତ୍ୱ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ସିଧାସଳଖ ଆସିଥିଲା ସ୍ବର୍ଗରୁ। ପୁଣି ଫେରିବା ଗବେଷକଙ୍କ ପାଖକୁ। ସେମାନଙ୍କ ମତ ଯେ ସୁମେର ଏହି ଯୁଦ୍ଧରେ ବିଜୟୀ ହୋଇଥିଲା ଏବଂ ଯୁଦ୍ଧର କାରଣ ଥିଲା ଚାଷଜମି ଉପରେ ଅଧିକାର। ତେବେ ଏହି ବାବଦରେ ମୁଖ୍ୟ ମତ ହେଉଛି ଯେ ଏମିତି ସଂଘର୍ଷ/ଯୁଦ୍ଧ ସଂଗଠିତ କୃଷିର ପ୍ରବେଶ ଆଗରୁ ସ୍ବାଭାବିକ ଥିଲା ଅନେକ ଅଞ୍ଚଳରେ। ତେବେ ଯେଉଁ ଅର୍ଥରେ ଦୁଇ ଦଳ ଭିତରେ ସାମରିକ ସଂଘର୍ଷକୁ ଆମେ ଆଧୁନିକ ଅର୍ଥରେ ‘ଯୁଦ୍ଧ’ ବୋଲି କହୁଛୁ ତା’ର ରେକର୍ଡ ଅଛି ୪୦୦୦ ବର୍ଷ ଆଗରୁ ତା’ ପୂର୍ବରୁ ନୁହେଁ। କିନ୍ତୁ ଖୁବ୍ ନିକଟରେ ‘ସାଇଣ୍ଟିଫିକ ରିପୋର୍ଟସ’ରେ ପ୍ରକାଶିତ ଏକ ଅଧ୍ୟୟନ ଇଙ୍ଗିତ କରିଛି ଯେ ସର୍ବ ପୁରାତନ ଯୁଦ୍ଧ ଅନ୍ତତଃ ୫୦୦୦ ବର୍ଷ ପ୍ରାଚୀନ। ପ୍ରସ୍ତର ଯୁଗର ଏଇ ଯୁଦ୍ଧ ସମ୍ବନ୍ଧରେ ପ୍ରମାଣିତ ତଥ୍ୟ/ଅବଶେଷ ଗବେଷକମାନଙ୍କ ହସ୍ତଗତ ହୋଇଛି, ଯେଉଁଥିରୁ ଜଣାପଡିଛି ୩୦୦ରୁ କିଛି ଅଧିକଙ୍କ ମୃତ୍ୟୁ ଘଟିବା ସହିତ ପ୍ରସ୍ତର ଯୁଗୀୟ ହାତ ହତିଆର ଏଥିରେ ରୀତିମତ ବ୍ୟବହୃତ ହୋଇଛି। ପାଠକେ, ଏହି ଆବିଷ୍କାର ସମ୍ଭବ ହୋଇଛି ୨୦ ବର୍ଗ ମିଟର ପରିମିତ ଉତ୍ତର ସ୍ପେନର ଏକ ସ୍ଥାନରୁ। ରେଡିଓ କାର୍ବନ ଡେଟିଙ୍ଗ ସହାୟତାରେ ଗବେଷକମାନେ ଆକଳନ କରିଛନ୍ତି ଯେ ସେସବୁ ଅସ୍ଥି ୩୩୮୦ ଖ୍ରୀଷ୍ଟ ପୂର୍ବରୁ ୩୦୦୦ ଖ୍ରୀଷ୍ଟପୂର୍ବ ପ୍ରାଚୀନ ହୋଇପାରେ। ଜଣାପଡ଼ିଛି, ପ୍ରାୟ ଏକ ତୃତୀୟାଂଶ ଦେହାବଶେଷରେ ରହିଛି ଛୁରୀ ମାଡ଼ ଏବଂ ଅନ୍ୟାନ୍ୟ ଭୟଙ୍କର ହିଂସାତ୍ମକ ଆକ୍ରମଣର ଚିହ୍ନ। ଯଦିଓ ଏହି ଖନନ ସ୍ଥଳ କେଇ ବର୍ଷ ପୂର୍ବରୁ ଆବିଷ୍କାର ହୋଇଥିଲା, ବର୍ତ୍ତମାନ ନୂତନ ଅଧ୍ୟୟନ ଇଙ୍ଗିତ କରିଛି ଯେ ଏହା ଏକ ସଂଗଠିତ ହିଂସାକାଣ୍ଡ/ଯୁଦ୍ଧ ଥିଲା। ଦେହାବଶେଷରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଏହି ଯୁଦ୍ଧରେ ମୁଖ୍ୟତ ଯୁବକମାନେ ଅଂଶଗ୍ରହଣ କରିଥିଲେ। ଯାହା ଇଙ୍ଗିତ କରୁଛି ଯେ ସେ ସମୟରେ ସୈନିକ ଭାବରେ ଖୁବ୍ସମ୍ଭବ ଯୁବକମାନଙ୍କୁ ନିଯୋଜିତ କରାଯାଉଥିଲା। କିଛି ଅବଶେଷରେ ଆରୋଗ୍ୟ ହୋଇସାରିଥିବା ପୁରାତନ କ୍ଷେତ୍ରର ସନ୍ଧାନ ମିଳିଛି, ଯାହା ଇସାରା କରୁଛି ଯେ ସେମାନେ ଏକାଧିକ ଥର ସାମରିକ ସଂଘର୍ଷରେ ଅଂଶଗ୍ରହଣ କରିଛନ୍ତି। ଗବେଷକମାନେ କହନ୍ତି, ଏହା ଗୋଟିଏ ଦଳ ଭିତରେ ସଂଘର୍ଷ ନୁହେଁ ବରଂ ଏହାକୁ ପ୍ରାଚୀନ ଯୁଦ୍ଧ ବୋଲି କୁହାଯାଇପାରିବ ଅନ୍ତତଃ ଦୁଇଟି ଦଳ ଭିତରେ।
ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ସ୍ପେନର ଏହି ଉପତ୍ୟକା ଦୃଷ୍ଟିକୁ ଆସିଥିଲା ପ୍ରଥମ ଥର ୧୯୮୫ରେ ଯଦିଓ ତାହା ଯୋଜନାବଦ୍ଧ ପ୍ରତ୍ନତାତ୍ତ୍ୱିକ ଖନନ ନ ଥିଲା।ତେବେ ଏହି ଖନନ ସ୍ଥଳ ବାବଦରେ ଉଲ୍ଲେଖନୀୟ ହେଉଛି ଯେ ମାତ୍ର ୨୦ ବର୍ଗ ମିଟର ଅଞ୍ଚଳରୁ ୯୦ଟି ସୁରକ୍ଷିତ ନର କଙ୍କାଳ ଏବଂ ଆଂଶିକ ନଷ୍ଟ ହୋଇଥିବା ୨୦୦ କଙ୍କାଳ ମିଳିବା। ଏହା ବ୍ୟତୀତ ଖନନ ସ୍ଥଳରୁ ପ୍ରସ୍ତର ଯୁଗୀୟ ହାତ ହତିଆର, ତୀର ଓ ଟାଙ୍ଗିଆ ମଧ୍ୟ ମିଳିଛି। ଗୋଟିଏ ମତ ହେଉଛି ଏତେ ସଂଖ୍ୟକ ଦେହାବଶେଷ ମିଳିଥିବା ସ୍ଥଳଟି ଥରେ ବ୍ୟବହାର ହୋଇନାହିଁ କାରଣ ଏଠି ମୃତଦେହଗୁଡ଼ିକୁ ଏକାଧିକ ଥର ପୋତି ଦିଆଯାଇଛି। ତଥ୍ୟ ଅନୁସାରେ ଏଠି ମିଳିଥିବା ୩୩୮ ମୃତଦେହର ଅବଶେଷ ଭିତରୁ ଅନ୍ତତଃ ୨୩ ପ୍ରତିଶତଙ୍କ ଶରୀରରେ କ୍ଷତ ସ୍ପଷ୍ଟ। ବିଶ୍ଲେଷଣରୁ ଜଣାପଡିଛି, ଅଧିକାଂଶ କ୍ଷତ ଟାଙ୍ଗିଆ, ଗଦା ପ୍ରହାର ଏବଂ ତୀର ଯୋଗୁ ଘଟିଛି। ଗବେଷକମାନଙ୍କ ମତ, ୫୦୦୦ ବର୍ଷ ତଳେ ବି ବିଭିନ୍ନ ଦଳ ଓ ଗୋଷ୍ଠୀଙ୍କ ମଧ୍ୟରେ ସାମାଜିକ ତଥା ରାଜନୈତିକ ବିବିଧତା ଥିଲା। ଆଉ ସେତେବେଳେ ପୁଷ୍ଟିହୀନତା/କୁପୋଷଣ ଏବଂ ସାମାଜିକ ବୈଷମ୍ୟ ବାରିହେବା ଆରମ୍ଭ ହୋଇସାରିଥିଲା। ପାଠକେ, ୫୦୦୦ ବର୍ଷ ତଳେ ଯେଉଁ ପରିପ୍ରେକ୍ଷୀରେ ସଂଘର୍ଷ/ଯୁଦ୍ଧ ହେଉଥିଲା ସେଇ ପ୍ରେକ୍ଷାପଟ ଆମ ସମୟରେ ଆମୁଳଚୁଳ ବଦଳି ତ ସାରିଛି କିନ୍ତୁ ଯୁଦ୍ଧର ରସାୟନ ବଦଳି ନlହିଁ। ଓଲଟି ହିଂସା ବିଳାସ ଆମ ସମୟରେ ଅଧିକ ହୋଇଛି।
– ଶୈଳେନ୍ଦ୍ର ଦ୍ୱିବେଦୀ
ମୋ:୯୪୩୭୧୩୭୦୬୦