ସାବେରୀ ନଦୀରେ ଛତିଶଗଡ଼ ଗଢ଼ିବ ଡ୍ୟାମ୍‌

ମାଲକାନଗିରି, ୨୦ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଛତିଶଗଡ଼ ସାବେରୀ ନଦୀରେ ଛତିଶଗଡ଼ ସରକାର କୋକରାମଠାରେ ଡ୍ୟାମ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ରଖି ଏ ଦିଗରେ ଆଗଉଛନ୍ତି। ଏହାକୁ ଓଡ଼ିଶା ଆଦିବାସୀ ସଂଘ ବିରୋଧ କରିଛି। ମଙ୍ଗଳବାର କମାରପାଲିଠାରେ ଓଡ଼ିଶାର ୯ଟି ପଞ୍ଚାୟତର ଆଦିବାସୀ ମହିଳା ପୁରୁଷ ଏକାଠି ହୋଇ ଏକ ବୈଠକ କରିଛନ୍ତି। ଶୋଭାଯାତ୍ରା କରି ଡ୍ୟାମ୍‌ ନିର୍ମାଣ ପ୍ରସ୍ତାବକୁ ବିରୋଧ କରିଛନ୍ତି। ଏହି ଡ୍ୟାମ୍‌ ନିର୍ମାଣ ହେଲେ ମାଥିଲି ବ୍ଲକର ୯ ପଞ୍ଚାୟତର ୫୨ଟି ଗ୍ରାମର ଲୋକେ କ୍ଷତିଗ୍ରସ୍ତ ହେବେ ା ସେମାନଙ୍କର ଜମି, ଜଳ, ଜଙ୍ଗଲ, ଖଣିଜ ସମ୍ପଦ ନଷ୍ଟ ହେବ। ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପଡିବ। ଛତିଶଗଡ଼ ସରକାର ତାଙ୍କ ରାଜ୍ୟର କୃଷି ଏବଂ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ପାଇଁ ଏହି ଡ୍ୟାମ୍‌ ନିର୍ମାଣ କରିବାକୁ ଯାଉଥିବା ବେଳେ ଏହାକୁ ସରକାରୀ ସ୍ତରରେ କିପରି ଅନୁମତି ମିଳୁଛିି ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇ ଛତିଶଗଡ଼ର ସ୍ବାର୍ଥ ପାଇଁ ଆମକୁ ବଳି ପକାଯାଉଛି ବୋଲି ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ଡ୍ୟାମ୍‌ କାର୍ଯ୍ୟ ବନ୍ଦ କରା ନ ଗଲେ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ଶୋଭାଯାତ୍ରାରେ ଆଦିବାସୀ ମହିଳାପୁରୁଷମାନେ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଛତିଶଗଡ଼ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଓଡ଼ିଶା ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।