ଓଡ଼ିଶାକୁ ଲାଗିଥିବା ଛତିଶଗଡ଼, ଝାଡ଼ଖଣ୍ଡ ସୀମା ସିଲ୍‌

ସୁନ୍ଦରଗଡ଼, ୧୨।୪ : ରାଜ୍ୟର ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ସରକାରଙ୍କ ଚିନ୍ତା ବଢିଛି। ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଏହି ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୋମବାର ସୀମା ସିଲ୍‌ କରାଯାଇଛି। ଛତିଶଗଡ଼ ସୀମାବର୍ତ୍ତୀ ସୁନ୍ଦରଗଡ଼ର ବାଲିଶଙ୍କରା, ସବ୍‌ଡେଗା, ହେମଗିର ବ୍ଲକ ଏବଂ ଝାଡ଼ଖଣ୍ଡ ସୀମାବର୍ତ୍ତୀ ସବ୍‌ଡେଗା, ବଡ଼ଗାଁ, କୁତ୍ରା, କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକର ସୀମାବର୍ତ୍ତୀ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ସୁନ୍ଦରଗଡ଼ରୁ ଛତିଶଗଡ଼କୁ ଚଳାଚଳ କରୁଥିବା ବସକୁ ବନ୍ଦ କରାଯାଇଥିବା ବେଳେ ସୋମବାର ଛତିଶଗଡ଼ ଓ ଝାଡଖଣ୍ଡ ସୀମାକୁ ପୋଲିସ ସିଲ୍‌ କରିଛି। ଉଭୟ ରାଜ୍ୟରୁ ଯିବା ଆସିବା କରୁଥିବା ବ୍ୟକ୍ତିମାନଙ୍କୁ ଯାଞ୍ଚ କରାଯାଉଛି। ଛତିଶଗଡ଼ ସୀମାବର୍ତ୍ତୀ ହେମଗିର ବ୍ଲକର ଟପରିଆ, ବାଲିଶଙ୍କରା ବ୍ଲକର ତେଲିଯୋର, ଉଲୁଟୁଡିହି ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ କୁଆଁରମୁଣ୍ଡା ବ୍ଲକର ବୀରମିତ୍ରପୁରଠାରେ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ତନଖି ଫାଟକ ଖୋଲାଯାଇଛି। ସେଠାରେ ପୋଲିସ, ପରିବହନ ବିଭାଗ ଓ ମେଡିକାଲ ଟିମ୍‌ ମୁତୟନ କରାଯାଇଛି ବୋଲି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଉଭୟ ରାଜ୍ୟରୁ ସୁନ୍ଦରଗଡ଼ ଜିଲା ମଧ୍ୟକୁ ଆସୁଥିବା ଯାନବାହାନଗୁଡିକ ଯାଞ୍ଚ କରିବା ସହ ଆର୍‌ଟିପିସିଆର ଟେଷ୍ଟ ନେଗେଟିଭ ସାର୍ଟିଫିକେଟକୁ ଯାଞ୍ଚ କରାଯାଉଛି। ଯାହାର ଓଡ଼ିଶାରେ ଘରଥିବ ସେହି ବ୍ୟକ୍ତିମାନଙ୍କୁ ସେଠାରେ ମୁତୟନ ଥିବା ମେଡିକାଲ ଟିମ୍‌ ଦ୍ୱାରା ନମୁନା ସଂଗ୍ରହ କରାଯାଇ ୭୨ଘଣ୍ଟା ମଧ୍ୟରେ ରିପୋର୍ଟ ନେବାକୁ କୁହାଯାଉଛି। ଏସ୍‌ପି ସାଗରିକା ନାଥ, ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା ଓ ପରିବହନ ବିଭାଗ ଅଧିକାରୀମାନେ ଛତିଶଗଡ଼ ସୀମା ତେଲିଯୋର ଠାରେ ପହଞ୍ଚି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ୮ତାରିଖରେ ଜିଲାରେ ୧୪୭ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତପତ୍ରତା ପ୍ରକାଶ କରି ବାଲିଶଙ୍କରା ବ୍ଲକର ବନ୍‌ଡେଗା ପଞ୍ଚାୟତର ୪ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି। ସେହିପରି ୯ ତାରିଖରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୨୨୪ ହୋଇଥିବା ବେଳେ ୧୦ରେ ୩୫୫ ଓ ୧୧ ତାରିଖରେ ୨୬୮ ରହିଛି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଡ୍ରାଇଭ ଜରିଆରେ ମାସ୍କ ଚେକିଂକୁ କଡାକଡ଼ି କରାଯାଉଛି।

Share