ବିଭିନ୍ନ ବିଭାଗର ସଚିବଙ୍କ ସହିତ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧।୭: ନୂତନ ଭାବେ ଯୋଗଦେଇଥିବା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି। ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ବାଗତ ଅଭିଭାଷଣ ପ୍ରଦାନ କରି ନୂତନ ମୁଖ୍ୟ ଶାସନ ସଚିବଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ, ଓଡ଼ିଶା ପ୍ରଶାସନିକ ବ୍ୟବସ୍ଥାର ସୁନାମ ରହିଛି । ନବ ଗଠିତ ସରକାରଙ୍କ ନିର୍ବାଚନ ଇସ୍ତାହାରକୁ ଆଖି ଆଗରେ ରଖି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଯୋଜନାର କାର୍ଯ୍ୟକାରିତା ପାଇଁ ଯେପରି ଫଳପ୍ରଦ ପ୍ରୟାସ ରହିବ, ସେ ସଂପର୍କରେ ସେ ବହୁ ଗଠନମୂଳକ ପରାମର୍ଶ ଦେଇଥିଲେ ।
ବୈଠକରେ ଆଗାମୀ ବଜେଟ ଉପସ୍ଥାପନ, ପୁରୀ ରଥଯାତ୍ରାର ସୁପରିଚାଳନା, ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗର କାର୍ଯ୍ୟରେ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ଛୋଟ ଛୋଟ ସମସ୍ୟା ରହୁଥିଲେ କାର୍ଯ୍ୟକୁ ବିଳମ୍ବିତ ନ କରି ଶୀଘ୍ର ଶେଷ କରାଯିବା, କାର୍ଯ୍ୟରେ ସୃଜନଶୀଳତା, ସ୍ବଚ୍ଛତା ଓ ସୁପ୍ରଶାସନ ଦିଗରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।
ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ। ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ପାଇଁ ନୂତନ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବ ମାନଙ୍କର ସହଯୋଗ କାମନା କରିଛନ୍ତି ।
Share