ପର୍ଯ୍ୟବେକ୍ଷକଙ୍କ ଭୂମିକା ସମ୍ପର୍କରେ ସୂଚିତ କଲେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର, ୧୨।୩(ସୁନିତ୍‌ ମିଶ୍ର):ସାଧାରଣ ନିର୍ବାଚନ ୨୦୨୪ ପ୍ରକ୍ରିୟାକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପର୍ଯ୍ୟବେକ୍ଷକମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ଏହି ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପ୍ରକ୍ରିୟାର ସମସ୍ତ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟାରେ ପର୍ଯ୍ୟବେକ୍ଷକମାନେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ସେ ବିଷୟରେ ସବିଶେଷ ଆଲୋଚନା ହୋଇଛି। ପର୍ଯ୍ୟବେକ୍ଷକମାନେ ମତଦାନ ପ୍ରକ୍ରିୟାବେଳେ ତୃଣମୂଳସ୍ତରରେ କେଉଁସବୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ ଓ ନିୟମ ଅନୁଯାୟୀ ସେମାନେ କିଭଳି ଭାବେ ସେହି ସମସ୍ତ ବିଷୟକୁ କମିଶନଙ୍କ ଦୃଷ୍ଟିକୁ ଆଣିବେ ସେନେଇ ବିସ୍ତୃତ ଆଲୋଚନା କରାଯାଇଛି।
ବୈଠକର ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପର୍ଯ୍ୟବେକ୍ଷକଙ୍କୁ ସମ୍ବୋଧନ କରି କହିଛନ୍ତି, ମୁକ୍ତ, ଅବାଧ, ନିରପେକ୍ଷ ଓ ସମ୍ପୂର୍ଣ୍ଣ ଭାବେ ତ୍ରୁଟିଶୂନ୍ୟ ନିର୍ବାଚନ ସମ୍ପର୍କରେ ଆଲୋଚନା କରି ଏହି ପ୍ରକ୍ରିୟାରେ ପର୍ଯ୍ୟବେକ୍ଷକଙ୍କ ଭୂମିକା ସମ୍ପର୍କରେ ସୂଚିତ କରିଛନ୍ତି। ଇଭିଏମ୍‌, ଭିଭିପିଏଟି୍‌, ବୁଥ୍‌ ପରିଚାଳନା, ପୋଷ୍ଟାଲ ବାଲଟ, ଶାନ୍ତି ଶୃଙ୍ଖଳା ଓ ସମସ୍ତ ଦଳକୁ ସମାନ ସୁଯୋଗ ଉପରେ ଗୁରୁତ୍ୱଦେଇ ପର୍ଯ୍ୟବେକ୍ଷକମାନେ କିଭଳି କାର୍ଯ୍ୟ କରିବେ ସେ ବିଷୟରେ ଆଲୋଚନା ହୋଇଛି। ଆଭାସୀ ମାଧ୍ୟମରେ ଭୁବନେଶ୍ୱରରୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ବିଭିନ୍ନ ପର୍ଯ୍ୟବେକ୍ଷକ ଯୋଗ ଦେଇଛନ୍ତି।

Share