Categories: ଜାତୀୟ

ରାଜନୈତିକ ଚାପକୁ ନେଇ ମୁହଁ ଖୋଲିଲେ ସୁପ୍ରିକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୭।୬: ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ରାଜନେତିକ ଚାପକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ୨୪ ବର୍ଷ ଧରି ବିଚାରପତି ଭାବେ କାର୍ଯ୍ୟ କରୁଛି, କିନ୍ତୁ କୌଣସି ରାଜନୈତିକ ଚାପରେ କେବେ କାମ କରିନାହାଁନ୍ତି। ଅକ୍ସଫୋର୍ଡ ୟୁନିଅନର ପ୍ରଶ୍ନ-ଉତ୍ତର ସେଶନରେ ସେ ଏହା କହିଛନ୍ତି।
ବିଶେଷକରି ଗତ କିଛି ବର୍ଷ ମଧ୍ୟରେ ନ୍ୟାୟପାଳିକା ଉପରେ କୌଣସି ରାଜନୈତିକ ଚାପ ରହିଆସିଛି କି ବୋଲି ସିଜେ ଚନ୍ଦ୍ରଚୁଡଙ୍କୁ ପଚରାଯାଇଥିଲା। ଏହି ପ୍ରଶ୍ନ ଉପରେ ସିଜେ ଚନ୍ଦ୍ରଚୁଡ କହିଛନ୍ତି, ମୁଁ ୨୪ ବର୍ଷ ଧରି ବିଚାରପତି ଥିଲି। ମୁଁ କଦାପି ସରକାରଙ୍କ କୌଣସି ପ୍ରକାରର ଚାପର ସମ୍ମୁଖୀନ ହୋଇ ନାହିଁ। ଯଦି ଆପଣ ବ୍ୟାପକ ରାଜନୈତିକ ଚାପର ଅର୍ଥ କରନ୍ତି, ତେବେ ଜଣେ ବିଚାରପତି ହୃଦୟଙ୍ଗମ କରିବେ ଯେ ତାଙ୍କ ନିଷ୍ପତ୍ତିର ରାଜନୈତିକ ପ୍ରଭାବ କ’ଣ ହୋଇପାରେ। ତାଙ୍କ ନିଷ୍ପତ୍ତିର ରାଜନୈତିକ ପ୍ରଭାବ ବିଷୟରେ ବିଚାରପତି ସଚେତନ ହେବା ଉଚିତ୍‌।
କୋର୍ଟରେ ବିଚାରାଧୀନ ମାମଲା ସମ୍ପର୍କରେ ଚନ୍ଦ୍ରଚୁଡ କହିଛନ୍ତି, ଭାରତର ଜନସଂଖ୍ୟା ଅନୁଯାୟୀ ଦେଶରେ ବିଚାରପତିଙ୍କ ସଂଖ୍ୟା ବହୁତ କମ ଅଟେ। ଅନ୍ୟ ଦେଶ ତୁଳନାରେ ଏହି ଅନୁପାତ ସର୍ବନିମ୍ନ ହେବ। ଆମର ନ୍ୟାୟପାଳିକା ଅଧିକ ବିଚାରପତି ଆବଶ୍ୟକ କରେ।
ସୋସିଆଲ ମିଡିଆକୁ ଏକ ବଡ ସମସ୍ୟା ବୋଲି ବର୍ଣ୍ଣନା କରି ଚନ୍ଦ୍ରଚୁଡ କହିଛନ୍ତି,ଏଠାରେ ସମସ୍ତେ ସାମ୍ବାଦିକ ଭଳି ଆଚରଣ କରନ୍ତି ଏବଂ ବିଚାରପତିମାନେ ଏହାର ସବୁଠାରୁ ବଡ଼ ଶିକାର ହୋଇଛନ୍ତି। ମୁଁ ଅନେକ ଥର ଏପରି ମନ୍ତବ୍ୟ ଦେଖେ, ଯାହା ମୁଁ କହି ନାହିଁ।

Share