ବଜ୍ରପାତରେ ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୬: ବରଗଡ଼ ଜିଲା ପଦ୍ମପୁର ଖଲିଆପଲି ପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ସହିତ ଗୁରୁତର ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ସମ୍ପର୍ଣ୍ଣ ମାଗଣାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଓ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ, ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି କରୁଥିଲେ। ହେଲେ ହଠାତ୍‌ ବର୍ଷା ଆସିଥିବା କାରଣରୁ ସେମାନେ ଘରକୁ ଯାଇ ପାରିନଥିଲେ। ବଜ୍ରପାତ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Share