ପୁରୀ ଜିଲାର ଚାରିଟି ବ୍ଲକରେ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୧୬।୧୨: ପୁରୀ ଜିଲାର ଚାରିଟି ବ୍ଲକର ୭ଟି ପଞ୍ଚାୟତରେ ୭ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଏହି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ଦ୍ୱାରା ବ୍ରହ୍ମଗିରୀ ବ୍ଲକର ବୁଦ୍ଧିସାହି, ରେବଣା-ନୂଆଗାଁ ଓ ବଡ ଦିଆଣ୍ଡି, କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା, ଖୋଲାମୁହାଣ ଓ ବାଲିନାସୀ, କଣାସ ବ୍ଲକର ନନ୍ଦିଗୋଡା ଓ ପୁରୀ ସଦର ବ୍ଲକର ରାଇଗୋରଡା ଓ ନୂଆପଡା ଗ୍ରାମବାସୀ ଉପକୃତ ହେବେ।

ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ୧୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକର ନିର୍ମାଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦିଆଯାଇଛି ।

ସୂଚନାଯୋଗ୍ୟ, ପୁରୀ ଜିଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସି.ଏମ୍‍.ଓ) ପକ୍ଷରୁ ହୋଇଥିବା ଜନଶୁଣାଣି ସମୟରେ ବିଭିନ୍ନ ପଞ୍ଚାୟତର ଜନସାଧାରଣ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ଆଜି ଏହି ଚାରିଟି ବ୍ଲକର ୭ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ଅନ୍ୟ ପଞ୍ଚାୟତ ଗୁଡ଼ିକରେ ଉପଯୁକ୍ତ ସ୍ଥାନ ନିରୂପଣ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Share