Categories: ଖେଳ

ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

ଭୁବନେଶ୍ୱର, ୩୧ା୫(ସ୍ପୋଟର୍‌ସ ବ୍ୟୁରୋ): ଜୁନ୍‌ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ୨୦୨୩ର ପ୍ରଥମ ଟିକେଟ କ୍ରୟ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସେକ୍ରେଟାରୀ ଜେନେରାଲ ଡ. ଶାଜି ପ୍ରଭାକରନ ଓ ଭାରତୀୟ ଫୁଟ୍‌ବଲ ଦଳର କୋଚ୍‌ ଇଗୋର ଷ୍ଟିମାକ୍‌ଙ୍କ ଉପସ୍ଥିତିରେ ଭାରତୀୟ ଫୁଟ୍‌ବଲ ଟିମ୍‌ ଅଧିନାୟକ ସୁନୀଲ ଛେତ୍ରୀ ଏହି ଟିକେଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଓ ରାଉରକେଲାରେ ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ ୨୦୨୩ର ସଫଳ ଆୟୋଜନ ପରେ ଓଡ଼ିଶା ଆଉ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ୪ଟି ଦେଶକୁ ନେଇ ହେବାକୁଥିବା ଏହି ଟୁର୍ନାମେଣ୍ଟରେ ଭାରତ, ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଅଂଶଗ୍ରହଣ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ବହୁ ଲୋକଙ୍କର ଫୁଟ୍‌ବଲ ଖେଳ ପ୍ରତି ଆଦର ରହିଛି। ଏହି ଦର୍ଶନୀୟ ଇଭେଣ୍ଟର ଆୟୋଜନ କରିବା ଆମ ପାଇଁ ଆଉ ଏକ ସମ୍ମାନର ବିଷୟ। କେବଳ ଆମ ରାଜ୍ୟ ନୁହେଁ ଭାରତବର୍ଷର ଫୁଟ୍‌ବଲପ୍ରେମୀଙ୍କ ଲାଗି ଏକ ଖୁସିର ବିଷୟ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ଦଳଗୁଡ଼ିକର ସେ ଶୁଭକାମନା କରିବା ସହ ଟପ୍‌ କ୍ୱାଲିଟି ଫୁଟ୍‌ବଲ ଦେଖିବା ଲାଗି ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଲେ ଖେଳାଳିମାନେ ଉତ୍ସାହିତ ହେବେ ବୋଲି ସେ କହିଛନ୍ତି। ଓଡ଼ିଶା ଫୁଟ୍‌ବଲର ଏକ ପ୍ରମୁଖ ହବ୍‌ ହୋଇ ଉଭା ହୋଇଛି। ରାଜ୍ୟରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ୨୦୨୨, ସାଫ୍‌ ୨୦ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ୨୦୨୨, ଆଇଏସ୍‌ଏଲ ସିଜନ, ଆଇଡବ୍ଲ୍ୟୁଏଲ୍‌ ୨୦୨୧-୨୨ ଏବଂ ଓଡ଼ିଶା ଓମେନ୍ସ ଲିଗ୍‌ ସଫଳତାର ସହିତ ଆୟୋଜନ ହୋଇଛି। ଏଆଇଏଫ୍‌ଏଫ୍‌ ସହିତ ପାର୍ଟନରଶିପ୍‌ରେ ରାଜଧାନୀ ସହର ଭୁବନେଶ୍ୱରରେ ଭାରତୀୟ ୧୬ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ଦଳ ସେମାନଙ୍କର କ୍ୟାମ୍ପ ଓ ଟ୍ରେନିଂ ସେସନ ଆୟୋଜନ କରିଆସୁଛନ୍ତି। ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁ ରାଜ୍ୟରୁ ୨ଟି ଦଳ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଉଦ୍‌ଘାଟନୀ ମ୍ୟାଚ ଲେବାନନ ଓ ଭାନୁଆଟୁ ମଧ୍ୟରେ ଖେଳାଯିବ। ଭାରତ ଏହାର ପ୍ରଥମ ମ୍ୟାଚ ମଙ୍ଗୋଲିଆ ବିପକ୍ଷରେ ଖେଳି ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିବ।

Share