ବାରିପଦା ଅଫିସ,୨୨।୧୦: ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି। ସହିଦ ସ୍ମୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବଣ୍ଟନ କରିଛନ୍ତି। ଏଥିସହ ୨ ହଜାର କୋଟିର ପ୍ରକଳ୍ପ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ମୟୂରଭଞ୍ଜ ଜିଲାର ୨୧ ଲକ୍ଷ ୪୦ ହଜାର ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେପ୍ଟେମ୍ବର ପହିଲାରୁ ଏହି କାର୍ଡ ଲାଗୁ ହୋଇଥିଲା। ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ। ସୋଢେ ୩ କୋଟି ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି। ଏ ପର୍ଯ୍ୟନ୍ତ ୧୦ ଲକ୍ଷ ପରିବାର ସ୍ମାର୍ଟ ହେଲଥ୍ କାର୍ଡ ପାଇସାରିଲେଣି। ଏଭଳି ବ୍ୟବସ୍ଥାରେ ହସ୍ପିଟାଲରେ କୌଣସି ଡକ୍ୟୁମେଣ୍ଟ ନ ଦେଖାଇ କେବଳ ଏହି ସ୍ମାର୍ଟ ହେଲଥ୍ କାର୍ଡ ଦେଖାଇ ହସ୍ପିଟାଲ ଯାଇହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଶରୁ ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲ୍ରେ ଏହି କାର୍ଡ ଜରିଆରେ ସୁବିଧା ପାଇପାରିବେ।ଏଥିରେ ପରିବାର ପାଇଁ ୫ ଲକ୍ଷ ଏବଂ ମା’ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ମିଳୁଛି।