ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମ୍ପର୍କୀୟ ସମୀକ୍ଷା ବୈଠକ କରିଛନ୍ତି।
ଏହି ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ଦୁର୍ବଳ ନଦୀବନ୍ଧଗୁଡ଼ିକର ତୁରନ୍ତ ସୁଦୃଢ଼ୀକରଣ କରାଇବା ସହ ବନ୍ୟା ସମୟରେ ସଜାଗ ରହି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏତଦ୍‌ ବ୍ୟତୀତ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ବିଭିନ୍ନ ଯୋଜନା ଅଧୀନରେ ଚାଲୁ ରହିଥିବା କାର୍ଯ୍ୟ ସମ୍ପର୍କରେ ସବିଶେଷ ସମୀକ୍ଷା କରି ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ୪ଟି ମୁଖ୍ୟ ପ୍ରତିଶ୍ରୁତି ହେଲା

– ଉତ୍ତମ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ପାଇଁ ନୀତି ନିର୍ଦ୍ଧାରଣ।
– ମହାନଦୀ ରେଜୁଭେନେସନ୍‌ ଓ ରୁଲ୍‌ କର୍ଭର ସମୀକ୍ଷା
-ଜଳ ସଂରକ୍ଷଣ ନୀତି ପ୍ରସ୍ତୁତ କରିବା
– ଅନ୍ତଃ ନଦୀ ଜଳପଥର ଉନ୍ନତିକରଣ ଓ ସମୟାନୁକ୍ରମିକ ଜଳଭଣ୍ଡାରରୁ ପଟୁ ଉଦ୍ଧାର ଓ ଖନନ ଆଦି କାର୍ଯ୍ୟ ପାଇଁ ବୈଷୟିକ କମିଟି ଗଠନ କରାଯାଇ ୧୦୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Share