Categories: ଜାତୀୟ

ଓ୍ବାୟନାଡ ଭୂସ୍ଖଳନକୁ ନେଇ ଭୟଙ୍କର ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ନଦୀରୁ ମିଳୁଛି ମୃତ ଶରୀରର ଖଣ୍ଡ ଖଣ୍ଡ ଅଂଶ

ଓ୍ବାୟନାଡ,୩୦।୭: ଓ୍ବାୟନାଡର ଭୟଙ୍କର ଭୂସ୍ଖଳନରେ ୧୦୦ଟପିଛି ମୃତ୍ୟସଂଖ୍ୟା। ପ୍ରକୃତିର ତାଣ୍ଡବରେ ଧରାଶାୟୀ ହୋଇଛି ଓ୍ବାୟନାଡି। ଗତକାଲି ଠାରୁ ଜାରି ରହିଥିବା ଲଗାଣ ବର୍ଷାରେ ଓ୍ବାୟନାଡର ଅନେକ ଗାଁ ଜନବସତିରୁ ବିଚ୍ଛିନ୍ନ ହୋଇଛି। ଓ୍ବାୟନାଡର ମେପ୍ପାଡି ଅଞ୍ଚଳ ଏହି ପ୍ରକୃତିର ତାଣ୍ଡବରୁ ବର୍ତ୍ତି ପାରିନାହିଁ। ଆଞ୍ଚଳିକ ମିଡିଆ ରିପୋର୍ଟରୁ ଜଣାପଡିଛି ଯେ, ଭୂସ୍ଖଳନବେଳେ ବହୁତଗୁଡିଏ ଲୋକ ଯେଉଁମାନେ ଟେଣ୍ଟ ପକାଇ ଚା’ ଷ୍ଟଲ କିମ୍ବା ଛୋଟ ଛୋଟ ଦୋକାନ କରୁଥିଲେ ବିଶେଷ କରି ସେମାନେ ମାଟିତଳେ ଚାପି ହୋଇଯାଇଛନ୍ତି।

ଏହାକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରା ବିଜୟନ କହିଛନ୍ତି, ଓ୍ବାୟନାଡର ପୂରା ଅଞ୍ଚଳ ଭୟାନକ ଦୂର୍ବିପାକର ସମ୍ମୁଖୀନ ହୋଇଛି। ଏପର୍ଯ୍ୟନ୍ତ ୯୩ ମୃତଦେହ ଉଦ୍ଧାର ହୋଇ ପାରିଛି। ଏବଂ ୧୨୮ଜଣ ଗୁରୁତର ଆହତ ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରା ରହିଛି। ୯୩ ମୃତଦେହ ମିଳିଥିବାବେଳେ ଏହି ସଂଖ୍ୟା ଆଗକୁ ବଢିପାରେ ବୋଲି ସେ କହିଛନ୍ତି।

କହିରଖୁଛୁ କି, ଏହି ଭୂସ୍ଖଳନରେ କେତେଜଣ ଲୋକ ନିଖୋଜ ଅଛନ୍ତି ଆଉ କେତେଜଣ ମାଟି ତଳେ ଫସି ରହିଛନ୍ତି ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ସ୍ଫଷ୍ଟ ସୂଚନା ମିଳିପାରି ନାହିଁ। ୩୪ଜଣଙ୍କ ମୃତଦେହ ଯେଉଁମାନେ ଏହି ଭୂସ୍ଖଳନରେ ଜୀବନ ହରାଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି। ଆଉ ୧୮ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଓ୍ବାୟନାଡର ଚାଲିୟାର ନଦୀରୁ ୧୬ମୃତଦେହ ଉଦ୍ଧାର କରାଯାଇଛି। ଏପରିକି ସେମାନଙ୍କ ଶରୀରର ଖଣ୍ଡଖଣ୍ଡ ଅଂଶ ମଧ୍ୟ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ବିଜୟନଙ୍କ ସହ କଥା ହୋଇଛନ୍ତି ଓ କେନ୍ଦ୍ର ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କ ପ୍ରତି ୨ ଲକ୍ଷ ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।

Share