ଭୁବନେଶ୍ୱର,୨୬।୧(ବ୍ୟୁରୋ): ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯାତନା ତଥା ସେ ସଂକ୍ରାନ୍ତ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇ ପାରିବ, ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ଏକ ସ୍ବତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ସୋମବାର ଏହି ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀ ମଞ୍ଜୁର କରିଛନ୍ତି। ଏଥିରେ ପୋଲିସ ବିଭାଗ ଲାଗି ୬୦ଟି ପଦବୀ ସହିତ ସାଇବର ଫରେନସିକ ଏବଂ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଞ୍ଜୁର ପ୍ରଦାନ କରାଯାଇଛି। ଜଣେ ଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ଶାଖା ପରିଚାଳିତ ହେବ। ଏଥିରେ ଦୁଇ ଜଣ ଅତିରିକ୍ତ ଏସ୍ପି, ୧୦ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ୍ଇନ୍ସପେକ୍ଟର, ୮ ଜଣ ଏଏସ୍ଆଇ ଓ ୧୪ ଜଣ କନ୍ଷ୍ଟେବଳଙ୍କୁ ନିୟୋଜିତ କରାଯିବ।