ରକ୍ତଦାନ କରୁଥିବା ବ୍ୟକ୍ତିଙ୍କ ତାଲିକା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନରେ ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଓଡ଼ିଶା ମୋ ପରିବାର ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ, କୋଭିଡ୍‌ ସମୟରେ ଶବଦାହ ପାଇଁ ଆରମ୍ଭ କରାଯାଇଥିବା ହେଲ୍ପଡେସ୍କ, ରକ୍ତଦାନ କରୁଥିବା ବ୍ୟକ୍ତିବିଶେଷଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଥାଲାସେମିଆ ଓ ଅନ୍ୟାନ୍ୟ ଗୁରୁତର ରୋଗରେ ପ୍ରଭାବିତ ବ୍ୟକ୍ତିଙ୍କୁ ସାହାଯ୍ୟ ଓ ପ୍ଲାଜମା ସଂଗ୍ରହ ଅଭିଯାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶା-ମୋ ପରିବାର କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିବା ସହ କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ ଏହି ସାମାଜିକ କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ଆହ୍ବାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଦସ୍ୟ ଦେବୀ ପ୍ରସାଦ ମିଶ୍ର ଓଡ଼ିଶା ମୋ ପରିବାର ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପାସ୍ଥାପିତ କରିଥିଲେ। ସହଆବାହକ ଅତନୁ ସବ୍ୟସାଚୀ ନାୟକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

Share