କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ କରିବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୬(ଅନିଲ ଦାସ): କେନ୍ଦୁପତ୍ର ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୁଣିଥରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, କେନ୍ଦୁପତ୍ର ହେଉଛି ଲଘୁବନଜାତ ଦ୍ରବ୍ୟ। ଏହା ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ପାଇଁ ଅର୍ଥନୈତିକ ମେରୁଦଣ୍ଡ। ରାଜ୍ୟରେ କେନ୍ଦୁପତ୍ର ତୋଳିବା ଓ ବାନ୍ଧିବା କାର୍ଯ୍ୟରେ ମୁଖ୍ୟତଃ ଅତି ଗରିବ ଆଦିବାସୀ ଓ ମହିଳାମାନେ ନିୟୋଜିତ ଥାଆନ୍ତି। ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ଆଇନ-୨୦୦୬ ଆଧାରରେ ଆଦିବାସୀମାନେ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି। କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସ୍‌ଟି ଆଦାୟ ହେଉଛି। ଏହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ଜୀବନଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ କରିବାକୁ ନବୀନ ଦାବି ଦୋହରାଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ୨୦୨୨ ନଭେମ୍ବର ୨୫ ତାରିଖରେ କେନ୍ଦ୍ରକୁ ଚିଠି ଲେଖି ଜିଏସ୍‌ଟି ଛାଡ଼ ପାଇଁ ଅନୁରୋଧ କରିଥିଲେ। ଏପରି କି ବିଜେଡି ଏମ୍‌ପିମାନେ ମଧ୍ୟ ପାର୍ଲାମେଣ୍ଟରେ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଛାଡ଼ ପାଇଁ ଦାବି କରି ଆସୁଛନ୍ତି।

Share