କନ୍‌ସେନ୍‌ଟ୍ରିକ୍ସ କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୃତ୍ତିଗତ ସେବା ସଂସ୍ଥା କନ୍‌ସେନ୍‌ଟ୍ରିକ୍ସ ବିପିଓ ଶୁକ୍ରବାର ଭୁବନେଶ୍ୱରରେ ଉଦ୍‌ଘାଟିତ ହୋଇଛି। କନ୍‌ସେନ୍‌ଟ୍ରିକ୍ସ ଭୁବନେଶ୍ୱରରେ କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟର ପ୍ରତିଷ୍ଠା କରିବା ସହିତ ମହିଳା ସଶକ୍ତୀକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତିନାମାନୁସାରେ ବିଶ୍ୱବିଦ୍ୟାଳୟ ପରିସରରେ କନ୍‌ସେନ୍‌ଟ୍ରିକ୍ସର ଏକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇ ଯୋଗ୍ୟ ଛାତ୍ରୀଙ୍କୁ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହିତ କନ୍‌ସେନ୍‌ଟ୍ରିକ୍ସ କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟର ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ଖୁବ୍‌ ସାହାଯ୍ୟକାରୀ ହେବ ବୋଲି ଉଲ୍ଲେଖ କରିଥିଲେ। ଏଥିସହ ଏହା ରାଜ୍ୟର ଯୁବତୀଯୁବକଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାପୋଷଣ କରିଥିଲେ ।
ପ୍ରାଥମିକ ପର୍ଯ୍ୟାୟରେ ୨୦୦୦ ପେସାଦାର କର୍ମଚାରୀଙ୍କୁ ନେଇ ଆରମ୍ଭ କରାଯାଇଥିବା ଭୁବନେଶର କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟରର କର୍ମଚାରୀ ନିୟୋଜନ ୫୦୦୦କୁ ଯଥାଶୀଘ୍ର ବୃଦ୍ଧି କରିବା ସହିତ ସରକାର ସବୁମତେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଏହି ଅବସରରେ ବୈଦ୍ୟୁତିକ, ସୂଚନା ପ୍ରଯୁକ୍ତି ତଥା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପରାମର୍ଶଦାତା ଅନୁଭବ ପଟ୍ଟନାୟକ, ୫-ଟି ସଚିବ ଭି. କେ. ପାଣ୍ଡିଆନ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଉକ୍ତ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ରମାଦେବୀ ବିଶ୍ୱବିଦ୍ୟାଳୟ ଉପ-କୁଳପତି ଅର୍ପିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

 

Share