ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ ମଧ୍ୟ କରିଛନ୍ତି। ଏ ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ।

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଭାଇ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ। ସେମାନେ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପ୍ରତିଦିନ ତାଙ୍କ ଘରେ ଚାଷୀ ଭଉଣୀଭାଇଙ୍କୁ ଭେଟୁଛନ୍ତି ଓ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି। ଚାଷୀ ଭାଇମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେଉଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ।

କୃଷକମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ କୃଷି ବଜେଟ୍‌ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ସେ କହିଥିଲେ, କାଳିଆ ଯୋଜନା ଚାଷୀଭାଇମାନଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାର ଚାଷୀଭାଇମାନଙ୍କ ଫସଲବୀମାର ପ୍ରିମୟମ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Share