ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ: ୫ ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଶନିବାର ଓଡ଼ିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲର ଶୁଭ୍‌ ଉଦ୍‌ଘାଟନ କରିବା ସହିତ ୪ଟି ମେଡିକାଲ କଲେଜର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ଭିତ୍ତି ରଖିଛନ୍ତି।

ଉଦ୍‌ଘାଟିତ ହୋଇଥିବା ଟିଚିଂ ହସ୍ପିଟାଲଗୁଡ଼ିକ ହେଲା ବଲାଙ୍ଗୀରରେ ୬୫୦ ଶଯ୍ୟା ବିଶିଷ୍ଟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବାରିପଦାରେ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଏବଂ ହସ୍ପିଟାଲ, ସୁନ୍ଦରଗଡ଼ରେ ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ବାଲେଶ୍ୱରରେ ୬୫୦ ଶଯ୍ୟା ବିଶିଷ୍ଟ ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ। ଏଥି ସହିତ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର ଗବେଷଣା ପ୍ରତିଷ୍ଠାନ, ବ୍ରହ୍ମପୁରରେ ଏମ.କେ.ସି.ଜି.ମେଡିକାଲ କଲେଜ ଏବଂ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ଏବଂ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଛି।

Share