ଟିଟିପିଏସ୍‌ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୨୫ା୩(ବ୍ୟୁରୋ):ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଷ୍ଟେଜ୍‌-୩ ପ୍ରକଳ୍ପ ସ୍ଥାପନ କରିବାକୁ ଅନୁମୋଦନ ଦେଇସାରିଥିବାରୁ ତୁରନ୍ତ ଉକ୍ତ କାର୍ଯ୍ୟ ଆରମ୍ଭ ନିମନ୍ତେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଆର୍‌.କେ. ସିଂଙ୍କୁ ମୁଖ୍ୟମନ୍ତ୍ରୀ ବୁଧବାର ଚିଠି ଲେଖିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଟିଟିପିଏସ୍‌ ହେଉଛି ଦେଶର ସର୍ବପୁରାତନ ତାପଜ ବିଦ୍ୟୁତ୍‌ କେନ୍ଦ୍ର। ୧୯୬୮ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ସ୍ଥାପିତ ହୋଇ ଷ୍ଟେଜ୍‌-୧ରେ ୨୪୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରୁଥିଲା। ୧୯୮୨ରେ ଷ୍ଟେଜ୍‌-୨ରେ ୨୨୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଥିଲା। ୧୯୯୫ରେ ଏହାକୁ ଏନ୍‌ଟିପିସି ଅଧିଗ୍ରହଣ କରିଥିଲା। ୨୦୧୦ରେ ଏନ୍‌ଟିପିସି ନିଜର ଉତ୍ପାଦନ କ୍ଷମତା ବଢାଇବାକୁ ଯୋଜନା କରି ଟିଟିପିଏସ୍‌ରେ ୬୬୦ ମେଗାଓ୍ବାଟ୍‌ ଲେଖାଏ ଦୁଇଟି ଷ୍ଟେଜ୍‌-୩ ୟୁନିଟ୍‌ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା। ସେହିବର୍ଷ ଡିସେମ୍ବରରେ ଗ୍ରୀଡ୍‌କୋ ୬୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ କିଣିବାକୁ ଏନ୍‌ଟିପିସି
ସହ ପାଓ୍ବାର ପର୍‌ଚେଜ୍‌ ଏଗ୍ରିମେଣ୍ଟ(ପିପିଏ) କରିଥିଲା। ଏନ୍‌ଟିପିସିର ଉକ୍ତ ଷ୍ଟେଜ୍‌-୩ ସମ୍ପ୍ରସାରଣ ପ୍ରକଳ୍ପକୁ ୨୦୨୦ ଫେବୃୟାରୀରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଅଥରିଟି ମାଧ୍ୟମରେ ଅନୁମୋଦନ ଦିଆଯାଇଛି। ଏହାସତ୍ତ୍ୱେ ଏନ୍‌ଟିପିସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁନାହିଁ। ମାର୍ଚ୍ଚ ୩୧ ତାରିଖରେ ବନ୍ଦ ହେବାକୁ ଥିବା ଟିଟିପିଏସ୍‌ ହଜାର ହଜାର ପରିବାର ଏବଂ ସ୍ଥାନୀୟ ଆର୍ଥିକ ଅବସ୍ଥା ଉପରେ ଗୁରୁତର ପ୍ରଭାବ ପକାଇବ। ଏନ୍‌ଟିପିସିର ଟିଟିପିଏସ୍‌ ବନ୍ଦ ନିଷ୍ପତ୍ତି ଉଦ୍‌ବେଗଜନକ ଓ ଏ ନେଇ ଏନ୍‌ଟିପିସି ତ୍ୱରିତ ପଦକ୍ଷେପ ନେଉ। ତୁରନ୍ତ ଟିଟିପିଏସ୍‌ ଷ୍ଟେଜ୍‌-୩ ୟୁନିଟ୍‌ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Share