ମୁଖ୍ୟମନ୍ତ୍ରୀ ଜଣେ, ଶାସନ ଚଳାଉଛନ୍ତି ଅନ୍ୟ ଜଣେ

କୁଚିଣ୍ଡା,୨୧ା୫(ବିରଞ୍ଚତ୍ ଦର୍କା):ବିଜେଡି ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ। ହେଲେ ତାଙ୍କୁ ମୋହାରା କରି କାର୍ତ୍ତିକ ପାଣ୍ଡିଆନ ସରକାର ଚଳାଉଛନ୍ତି। ଏଭଳି ସରକାରକୁ ହଟାଇବାକୁ ପଡ଼ିବ। ଏଥର ଓଡ଼ିଶାବାସୀ ଏଭଳି ସରକାରକୁ ହଟାଇ ଭାଜପାକୁ ଶାସନଭାର ଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ବାମରା ହାଇସ୍କୁଲ ପଡ଼ିଆରେ ସୋମବାର ଆୟୋଜିତ ଭାଜପା ବିଜୟ ସଙ୍କଳ୍ପ ସମାବେଶରେ ସୋମବାର ବିଧାୟକ ପ୍ରାର୍ଥୀ ରବିନାରାୟଣ ନାୟକଙ୍କ ସହ ପ୍ରଧାନ ଯୋଗଦେଇ ୨୪ବର୍ଷର ନବୀନ ସରକାର ଉପରେ ପ୍ରବଳ ବର୍ଷିଛନ୍ତି।
ସମାବେଶରେ ପ୍ରଧାନ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଥିବା ବେଳେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ଦେଇ ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୪ ଲକ୍ଷ ପକ୍କା ଘର, ୫୫ ଲକ୍ଷ ମା’ମାନଙ୍କ ଘରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ କରାଯାଇଥିବା କହିଛନ୍ତି। ଓଡ଼ିଶାରେ ଭାଜପା ସରକାର ପାଇଁ ଆଶୀର୍ବାଦ କଲେ ରବିନାରାୟଣ ନାଏକ କ୍ୟାବିନେଟ୍‌ ମନ୍ତ୍ରୀ ହେବେ ଓ ଏମ୍‌ପି ପ୍ରାର୍ଥୀଭାବେ ତାଙ୍କୁ ସମର୍ଥନ କଲେ କେନ୍ଦ୍ରରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଥିଲେ। ଭାଜପା ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ସୂଚନା ଦେଇ ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ମୋଦି ସଙ୍କଳ୍ପ ନେଇଥିବା ପ୍ରଧାନ କହିଛନ୍ତି। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

Share