‘ଏକ ପେଡ୍‌ ମା’ କେ ନାମ୍‌’ ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ: ବିଧାନସଭା ପରିସରରେ ଲଗାଇଲେ ଏହି ଗଛ

ଭୁବନେଶ୍ୱର,୬।୭(ଅସମାପିକା ସାହୁ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପଣ୍ଡିତ ଗୋପବନ୍ଧୁ ଏକାଧାରାରେ ଜଣେ ଦେଶସେବକ, ଜନନାୟକ, ସ୍ବାଧୀନତା ସଂଗ୍ରାମୀ, କବି, ଲେଖକ ଓ ଆଦର୍ଶ ଶିକ୍ଷକ ଥିଲେ। ସତ୍ୟବାଦୀରେ ପ୍ରତିଷ୍ଠିତ ମଣିଷ ତିଆରି କାରଖାନା ସତ୍ୟବାଦୀ ବନବିଦ୍ୟାଳୟ ପାଇଁ ସେ ଚିରସ୍ମରଣୀୟ ହୋଇରହବେ। ଓଡ଼ିଆ ନବଯୁଗର ଗୋପବନ୍ଧୁ ପ୍ରବର୍ତ୍ତକ
ଥିଲେ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଓଡିଆ ଭାଷା ସାହିତ୍ୟର ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ଚିରସ୍ମରଣୀୟ। ଉତ୍କଳମଣି ଗୋପବନ୍ଧୁ ବାସ୍ତବିକ ଥିଲେ ଯୁଗପୁରୁଷ। ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାବାସୀଙ୍କୁ ସାହାଯ୍ୟ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଏକ ପେଡ ମା’ କେ ନାମ’ ଅଭିଯାନରେ ବିଧାନସଭା ପରିସରରେ ଏକ ରୁଦ୍ରାକ୍ଷ ଚାରା ରୋପଣ କରିଥଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ, ବାଚସ୍ପତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।