Categories: ବାଣିଜ୍ୟ

ସୁବର୍ଣ୍ଣପୁରରେ ଅରୁନ୍ଧତୀ ବାନ୍ଧକଳା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୋନପୁର,୨।୩(ମୃତ୍ୟୁଞ୍ଜୟ ଶତପଥୀ): ଅରୁନ୍ଧତୀ ଗ୍ରୁପ୍‌ର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ୍‌ ହ୍ୟାଣ୍ଡଲୁମ୍‌ ୟୁନିଟ୍‌ (ଅରୁନ୍ଧତୀ ବାନ୍ଧକଳା ପ୍ରକଳ୍ପ)କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ୫୫ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଅଞ୍ଚଳର ବୁଣାକାର ପରିବାରଙ୍କୁ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁର ଟାଉନ ହଲ୍‌ ପରିସରରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଏବଂ ସୁବର୍ଣ୍ଣପୁର ଜିଲାପାଳ ଅନ୍ୟା ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସୋନପୁର ବ୍ଲକର ଛେପାପାଲିଠାରେ ୧୦ ଏକର ପରିମିତ ଜମିରେ ଅତ୍ୟାଧୁନିକ ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ହେବ। ଏଥିରେ ୩ ହଜାର ହ୍ୟାଣ୍ଡଲୁମ୍‌ ରହିବ। ଏହି ପ୍ରକଳ୍ପରେ ୫ ହଜାର ବୁଣାକାରଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ଦିଆଯାଇଥିଲା। ଅରୁନ୍ଧତୀ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର କହିଥିଲେ, ସୋନପୁର ଏକ ସର୍ବପୁରାତନ ପ୍ରାଚୀନ ସଂସ୍କୃତି ଓ ଐତିହ୍ୟର କେନ୍ଦ୍ରସ୍ଥଳୀ। ଏଠାକାର ପାରମ୍ପରିକ ବୟନ ହସ୍ତଶିଳ୍ପ ଓ ବାନ୍ଧକଳା ବିଶ୍ୱ ପ୍ରସିଦ୍ଧ। ପୁରାତନ ଯୁଗରୁ ପ୍ରଚଳିତ ହୋଇ ଆସୁଥିବା ଏହି ସୌଖୀନ କାରିଗରି କୌଶଳକୁ ଆଗେଇ ନେବା ପାଇଁ ଚେଷ୍ଟା କରାଯିବ। ପାରମ୍ପରିକ ହସ୍ତଶିଳ୍ପ ପ୍ରକ୍ରିୟାରେ ସ୍ଥିରତା, ନବସୃଜନତା ଓ ସଶକ୍ତୀକରଣ ଆଣିବା ହେଉଛି ଆମର ମୂଳଲକ୍ଷ୍ୟ। ଯୁବପିଢ଼ିମାନଙ୍କୁ ପାରମ୍ପରିକ ବାନ୍ଧକଳା ପ୍ରତି ଆକୃଷ୍ଟ କରିବା ସହ ଆମ ନିଜ ବୁଣାକାର ସମ୍ପ୍ରଦାୟର ଜୀବନ ଜୀବିକାକୁ ସମୃଦ୍ଧ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଅନ୍ୟମାନଙ୍କ ମଧ୍ୟରେ ଅରୁନ୍ଧତୀ ଗ୍ରୁପ୍‌ର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଓ ବାନ୍ଧକଳା ପ୍ରକଳ୍ପର ମୁଖ୍ୟ ରବିଶ ଟଣ୍ଡନ ମଞ୍ଚାସୀନ ଥିଲେ। ଏହି ଅବସରରେ ଶିଳ୍ପୀ ଗୁରୁ ପଦ୍ମଶ୍ରୀ ଚତୁର୍ଭୁଜ ମେହେରଙ୍କ ସମେତ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାରଙ୍କୁ ସମ୍ମାନିତ କରାଯାଇଥିଲା।

Share