ମେଟ୍ରୋ ଟ୍ରେନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧: ନୂଆବର୍ଷରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ ଟ୍ରେନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ୍‌ ଭେଟି ଦେଇ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ବାରଙ୍ଗ ବ୍ଲକର ରତାଗଡ଼-ଲେଙ୍କାସାହିରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏ ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାୟ ୬ ହଜାର ୨୫୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟ ୪ ବର୍ଷରେ ସରିବ। ରାଜ୍ୟ ବିକାଶ ଇତିହାସରେ ଆଜି ଏକ ସ୍ବତନ୍ତ୍ର ଦିବସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିବହନ କ୍ଷେତ୍ରରେ ବଡ଼ ରୂପାନ୍ତରଣ ଆସିବ।

ପୁରୁଣା ରାଜଧାନୀ କଟକ ଓ ନୂଆ ରାଜଧାନୀ ଭୁବନେଶ୍ବର ମଧ୍ୟରେ ସମ୍ପର୍କକୁ ମଜଭୁତ କରିବ। ନୂଆବର୍ଷର ଏହି ଖୁସି ସବୁଦିନ ଜାରି ରହୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକାଶର ପର୍ବ ଲୋକଙ୍କ ସହଯୋଗରେ ଆଗକୁ ବଢିବ। ୬ହଜାର କୋଟିରୁ ଅଧିକ ବ୍ୟୟ ବରାଦ କରାଯାଇଛି। ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ ୨୦ଟି ଷ୍ଟେଶନ ରହିବ। ଏହା ରାଜ୍ୟ ସରକାରଙ୍କ ନିଜସ୍ବ ବଜେଟରେ ହେଉଥିବା ସବୁଠୁ ବଡ଼ ପ୍ରକଳ୍ପ। ମେଟ୍ରୋ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି।

Share