କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ଅସମାପିକା ସାହୁ): କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ କମଳା ପୂଜାରୀ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ। ଶତାଧିକ ସ୍ବଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ସେ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସଂରକ୍ଷିତ କରୁଥିଲେ। ପରିବେଶର ସୁରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଅବଦାନ ରାଜ୍ୟ ଓ ଦେଶ କେବେ ଭୁଲି ପାରିବ ନାହିଁ। ତାଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି, ଓଡିଶାର ଗୌରବ ତଥା କୃଷିବିତ୍‌ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଭିନ୍ନ କିସମର ଧାନ ସଂରକ୍ଷଣ କରିବା ଦିଗରେ ସେ ଦେଶରେ ଉଦାହରଣ ସୃଷ୍ଟି କରିଥିଲେ । ଜନଜାତି ସମୁଦାୟରୁ ଆସି କୃଷି ବିଶେଷତଃ ଜୈବିକ ଚାଷ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ଚିର ସ୍ମରଣୀୟ ହୋଇରହିବ ।

Share