ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୪।୭: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ବିଜେଡିର ଲୋକ ସଭା ଏବଂ ରାଜ୍ୟ ସଭା ଏମ୍‌ପିମାନେ ସେଠାରେ ଉପସ୍ଥିତ ଥିଲେ। ଦ୍ରୌପଦୀଙ୍କୁ ଭେଟିବା ପରେ ଟୁଇଟର୍‌ ନିଜର ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ ଟୁଇଟ୍‌ କରି କହିଛନ୍ତି, ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ଓଡିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ଅତ୍ୟନ୍ତ ଖୁସି ଅଛି। ଆମେ ତାଙ୍କ ପାଇଁ ଗର୍ବିତ। ଏହାସହ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଉତ୍ସାହିତ ଅଛି।
ସୂଚନାଯୋଗ୍ୟ, ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିବେ। ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ସମୟରେ ମୁର୍ମୁଙ୍କ ଝିଅ ତଥା ବ୍ୟାଙ୍କ ଅଧିକାରୀ ଇତିଶ୍ରି ଏବଂ ତାଙ୍କ ସ୍ବାମୀ ଗଣେଶ ହେମ୍ବ୍ରମ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Share