Categories: ଗଞ୍ଜାମ

ପୋଲିସର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଆସିକା,୨୬ା୭ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆସିକା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ବିଶେଷ ଭାବେ ଦେଖାଦେଇଛି। ବ୍ଲକ୍‌, ତହସିଲ୍‌, ଥାନା, ଏନ୍‌ଏସି, ଶିଶୁ ବିକାଶ ପ୍ରକଳ୍ପ, ଶିକ୍ଷା ବିଭାଗ ଆଦି ବିଭାଗର ବହୁ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନା ନିୟନ୍ତ୍ରଣ ଦିଗରେ ଆସିକା ପୋଲିସର ଉତ୍ସର୍ଗୀକୃତ ଓ କର୍ତ୍ତବ୍ୟନିଷ୍ଠତା ସାଙ୍ଗକୁ ଲକ୍‌ଡାଉନ୍‌ ପରିସ୍ଥିତିରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଟୁଇଟ୍‌ ଯୋଗେ ପ୍ରଶଂସା କରିଛନ୍ତି।
ସୂଚନା ଯୋଗ୍ୟ, ଆସିକା ଥାନାର ସମୁଦାୟ ୫୨ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୪୨ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଏହାସତ୍ତ୍ୱେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଦୌନନ୍ଦିନ କାର୍ଯ୍ୟ ସହ କରୋନା ନିୟନ୍ତ୍ରଣ ଲାଗି ପାଟ୍ରୋଲିଂ ଓ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇ ଆସୁଛି।