ନୂଆଦିଲ୍ଲୀ, ୧୩ା୫: କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ବିଚାରାଧୀନ ଥିବା ଓଡ଼ିଶାର ଅନେକ ପ୍ରକଳ୍ପ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ରେସିଡେଣ୍ଟ କମିଶନରଙ୍କ ଅଫିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ ଅର୍ଥ ମନ୍ତ୍ରଣାଳୟ, ଯୋଗାଯୋଗ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ, ବେସାମରିକ ବିମାନ ଚଳାଚଳ ସମେତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକରେ ବିଚାରାଧୀନ ଥିବା ପ୍ରକଳ୍ପ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପ୍ରକାଶ ଯେ, ବୁଧବାର ନୂଆଦିଲ୍ଲୀ ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ଓଡ଼ିଶାର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ତୃତୀୟ ସାମ୍ମୁଖ୍ୟରେ ବିଜେଡି ସାମିଲ ହେବା ନେଇ ଉଠୁଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିବା ସହ ଆମେ ସମଦୂରତ୍ୱ ବଜାୟ ରଖିବୁ ବୋଲି ସ୍ପଷ୍ଟ କରିଥିଲେ।