ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଧାମନଗର ଦାୟିତ୍ୱ ନିଅନ୍ତୁ: ସୂର୍ଯ୍ୟବଂଶୀ

ଭଦ୍ରକ ଅଫିସ/ଧାମନଗର,୮।୧୧(ସ୍ବ.ପ୍ର./ଡି.ଏନ୍‌.ଏ.):ଉପନିର୍ବାଚନ ପାଇଁ ଭର୍ଚ୍ଚୁଆଲ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗର ଦାୟିତ୍ୱ ନେବେ ବୋଲି କହିଥିଲେ। ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ଧାମନଗର ଦାୟିତ୍ୱ ନିଅନ୍ତୁ। ତାଙ୍କ ଦଳର ପ୍ରାର୍ଥୀ ହାରିଯାଇଥିଲେ ବି ଧାମନଗର ତାଙ୍କର, ସେ ତା’ର ଦାୟିତ୍ୱ ନିଅନ୍ତୁ ବୋଲି ସୋମବାର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟାରେ କହିଛନ୍ତି।
ଉପନିର୍ବାଚନରେ ବିଜୟଲାଭ କରିବା ପରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ବିଧାୟକ ଭାବେ ଧାମନଗର ସେବା ଆରମ୍ଭ କରିବେ ବୋଲି ସୂର୍ଯ୍ୟବଂଶୀ କହିଥିଲେ। ସେହି ଅନୁଯାୟୀ ସୋମବାର ଶୈବପୀଠ ଆରଡ଼ିକୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ସେ ଯାଇଥିଲେ। ଆରଡ଼ିକୁ ଯିବା ବାଟରେ ଧୂଷୁରୀଠାରେ ଭାଜପାର ବହୁସଂଖ୍ୟକ କର୍ମୀ ଓ ଜନସାଧାରଣ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ସୂର୍ଯ୍ୟବଂଶୀ ମଧ୍ୟ ଗାଡ଼ିରୁ ଓହ୍ଲାଇ ଧୂଷୁରୀ ବଜାରରେ ଚାଲି ଚାଲି ଯାଇ ଲୋକଙ୍କୁ ପ୍ରତି ନମସ୍କାର କରିବା ସହ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ, ମୁଁ କଠିନ ପରିସ୍ଥିତିରେ ନିର୍ବାଚନକୁ ଓହ୍ଲାଇଥିଲି। ଏକ ବଡ଼ ପରିବାର ମୋତେ ନିର୍ବାଚନରେ ସହଯୋଗ କରିଥିଲା। ଧାମନଗରବାସୀ ମୋତେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ସେହି ଆଧାରରେ ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରିବି। କିଛି ସମୟ ସେଠାରେ ରହି ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଅଭିମୁଖେ ଯାତ୍ରା କରିଥିଲେ।
ସେହିପରି ଧାମନଗର ବିଧାନସଭା କ୍ଷେତ୍ର ପ୍ରବେଶ ପଥ ସରପୁର, ବରୁଣାଇ, ଅସୁରାଳି, କୋଠାର, ସୂର୍ଯ୍ୟପୁର, ବେତାଳିଗଁା ଆଦି ବିଭିନ୍ନ ଛକରେ ଦଳୀୟ କର୍ମୀଙ୍କ ସହ ଜନସାଧାରଣ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ତାଙ୍କ ସହ ଉପନିର୍ବାଚନରେ ମଙ୍ଗୁଆଳ ସାଜିଥିବା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବଦ୍ରି ନାରାୟଣ ଧଳ, ଜିଲା ସଭାପତି ହେମନ୍ତ ପାଢ଼ୀ, ସମ୍ପାଦକ ମନୋଜ ମଲ୍ଲିକ, ମନସ୍ମିତା ଖୁଣ୍ଟିଆ, ଅଶୋକ ପୁହାଣ, ଚତୁର୍ଭୁଜ ନାୟକ, ବୈକୁଣ୍ଠ ସାହୁ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଉପନିର୍ବାଚନରେ ବିଜୟ ନେଇ ଧାମନଗର ଅଞ୍ଚଳରେ ଭାଜପା ନେତା ଓ କର୍ମୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ନବନିର୍ବାଚିତ ବିଧାୟକଙ୍କୁ ନେଇ ଭାଜପା ଏଭଳି ଭିନ୍ନ ଢଙ୍ଗରେ ବିଜୟ ଉତ୍ସବ ପାଳନ କରିଛି।

Share