‘ଯାହା ପ୍ରତିଶ୍ରୁତି ଦେଉ ତାହା ପାଳନ କରୁ’ ସୁଭଦ୍ରା ଟଙ୍କା ପ୍ରଦାନ ଅବସରରେ ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୧୦: ବାରିପଦା ଛଉ ପଡ଼ିଆ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପଠାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ବକ୍ତବ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଯାଇଛି। ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ। ସୁଭଦ୍ରା ଯୋଜନା ଓଡ଼ିଶାର ସର୍ବବୃହତ୍ତ ଯୋଜନା। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଡବଲ ଇଂଜିନ ସରକାରକୁ ଆପଣ ସଫଳ କରିଛନ୍ତି। ଡବଲ ଇଂଜିନ ସରକାରରେ ଡବଲ ବିକାଶ ହେବ, ଡବଲ ଫାଇଦା ମିଳିବ। ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୭୫୦ କୋଟିର ସୁଭଦ୍ରା ସହାୟତା ଦିଆଗଲା। ୨ ପର୍ଯ୍ୟାୟରେ ମୋଟ ୩ ହଜାର କୋଟି ଟଙ୍କାର ସହାୟତା ଦିଆଗଲାଣି।

ବାରିପଦା ସଭାରେ ନବୀନ ସରକାରକୁ ସମାଲୋଚନା କଲେ ମୋହନ। ମୋହନ କହିଛନ୍ତି, ଗତ ସରକାରଙ୍କ ମହିଳା ସଶକ୍ତୀକରଣ କେବଳ ସ୍ଲୋଗାନରେ ସୀମିତ ଥିଲା। ପୂର୍ବ ସରକାର କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଥିଲେ। ମହିଳାଙ୍କୁ ଋଣ ଦେବା ନାଁରେ ମହାଜନୀ କାରବାର କରାଉଥିଲେ ନବୀନ ସରକାର। ଆମ ସରକାର ମହିଳାମାନଙ୍କୁ ବିକାଶ ଯାତ୍ରାରେ ସାମିଲ କରିଛି।