‘ମୁକ୍ତା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୮୩.୮୧ କୋଟି ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୧୮୩.୮୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅନୁଦାନ ପ୍ରାପ୍ତ ‘ମୁକ୍ତା’ ଯୋଜନାରେ ଦକ୍ଷିଣ ଆରଡିସି ଡିଭିଜନର ୧୦ଟି ଜିଲାକୁ ଅନ୍ତର୍ଭୁକ୍ତ କରି ୪୨ ମ୍ୟୁନିସିପାଲିଟି ଏବଂ ଏନ୍‌ଏସି ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଏହି ଅର୍ଥ ମଞ୍ଜୁର କରିଛନ୍ତି। ଉକ୍ତ ଜିଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଏବଂ ବୌଦ୍ଧ ଅନ୍ତର୍ଭୁକ୍ତ।

ଏହି ସମସ୍ତ ୪୨ ୟୁଏଲ୍‌ବି ସ୍ଥାନୀୟ ନାଗରିକ ତଥା ପ୍ରମୁଖ ହିତାଧିକାରୀଙ୍କ ସହ ଜଡ଼ିତ ଏକ ଅଂଶଗ୍ରହଣ ପ୍ରକ୍ରିୟା ମାଧ୍ୟମରେ ‘ମୁକ୍ତା’ ଅଧୀନରେ ଓ୍ବାର୍ଡଓ୍ବାରି ସମ୍ଭାବ୍ୟ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି। ଏହି ଆକ୍ସନ ପ୍ଲାନଗୁଡ଼ିକ ଏଚ୍‌ସିଏମ୍‌ ଅନୁମୋଦନ ପୂର୍ବରୁ ଡିପାର୍ଟମେଣ୍ଟ ସ୍ତରରେ ସ୍କ୍ରିନ କରାଯାଇଛି। ‘ମୁକ୍ତା’ ଯୋଜନାରେ ନିଆଯିବାକୁ ଥିବା ଏହି ସମସ୍ତ ଅନୁମୋଦିତ ପ୍ରକଳ୍ପଗୁଡିକ ମିଶନ ଶକ୍ତି ଗୋଷ୍ଠୀ ଦ୍ୱାରା ସିଧାସଳଖ କାର୍ଯ୍ୟକାରୀ ହେବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଜୁନ୍‌ ୯ରେ ଉପରୋକ୍ତ ୧୦ଟି ଜିଲାର ୪୨ ୟୁଏଲ୍‌ବି ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ମିନି ପାର୍କ, ଓପନ ଏୟାର ଜିମ୍‌, ଚିଲ୍ଡେନ ପାର୍କ, ଖେଳ ପଡିଆ, ଭେଣ୍ଡିଂଜୋନ, ଓ୍ବାଡର ବଡି ଡେଭଲପ୍‌ମେଣ୍ଟ ଆଦି ରହିଛି। କମ୍ୟୁନିଟି ସେଣ୍ଟର୍‌, ଓ୍ବାଲ ପେଣ୍ଟିଂ, ସହର ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ରହିଛି।

ମୁଖ୍ୟମନ୍ତ୍ରୀ ଏହି ଯୋଜନା ୧୮ ଏପ୍ରିଲ ୨୦୨୦ରେ ଲୋକାର୍ପିତ କରିଥିଲେ। ତେବେ ତୃତୀୟ ପର୍ଯ୍ୟାୟରେ ଉତ୍ତର ଆରଡିସି ଡିଭିଜନର ଅବଶିଷ୍ଟ ୧୦ଟି ଜିଲାର ୩୬ ୟୁଏଲ୍‌ବି ଅନ୍ତର୍ଭୁକ୍ତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଅର୍ଥ ମଞ୍ଜୁର କରିବେ।

Share