ଭୁବନେଶ୍ୱର,୨୮।୨(ବ୍ୟୁରୋ): ୟୁକ୍ରେନରୁ ଫେରିଥିବା ଓଡ଼ିଆଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଓଡ଼ିଆ ଛାତ୍ରମାନେ ସୁରକ୍ଷିତ ଫେରିଆସିଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତି ବ୍ୟକ୍ତ କରିଛନ୍ତି। ଅନ୍ୟ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି ।
ଛାତ୍ରୀଛାତ୍ରମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀ ମାନଙ୍କ ସହିତ ବୁକାରେଷ୍ଟ ଯାଇଥିଲେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ । ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ସେମାନଙ୍କ ସହିତ ସବୁ ସମୟରେ ଅନ୍ଲାଇନ ଜରିଆରେ ଯୋଗାଯୋଗରେ ଥିଲେ ବୋଲି ସେମାନେ କହିଥିଲେ । ୟୁକ୍ରେନର ଅନ୍ୟ ସ୍ଥାନରେ ଥିବା, ବିଶେଷକରି ଖାରକିବ୍ରେ ବହୁ ଓଡ଼ଆ ଛାତ୍ରଛାତ୍ରୀ ଅଛନ୍ତି ଓ ସେମାନଙ୍କୁ ଫେରାଇ ଆଣିବାପାଇଁ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ ।