ମହିଳା ହକି ଟିମ୍‌ ସହ ଭିଡିଓ କଲ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୮(ବ୍ୟୁରୋ): ମହିଳା ହକି ଟିମ୍‌ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଲ୍‌ରେ କଥା ହେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଦ୍ଧା ମନୋବଳ ଦୃଢ଼ କରିବାକୁ ନବୀନ କହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛି ମହିଳା ହକି ଟିମ୍‌ । ଦଳର ଦୁଇଜଣ ଓଡ଼ିଆ ଖେଳାଳି ଉପଅଧିନାୟିକା ତଥା ଡିଫେଣ୍ଡର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ବ୍ରୋଞ୍ଚ ପଦକ ନେଇ ଆଜି ଖେଳାଯାଇଥିବା ଗ୍ରେଟ୍‌ ବ୍ରିଟେନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ପରାସ୍ତ ହୋଇଛି। କଡ଼ା ଟକ୍କର ଦେଇ ୪-୩ ଗୋଲରେ ଗ୍ରେଟ୍‌ ବିଟେନଠାରୁ ଦଳ ହାରିଛି। ପ୍ରଥମ କ୍ୱାର୍ଟରରେ ମ୍ୟାଚ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ୍‌ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ ଖେଳିଥିଲା ଭାରତୀୟ ଦଳ। ଗୁରୁଜିତ୍‌ କୌର ଲଗାତର ୨ଟି ଗୋଲ ସ୍କୋର କରିଥିବା ବେଳେ ବନ୍ଦନା କଟାରିଆଙ୍କ ଆଉ ୧ ଗୋଲ କରି ମ୍ୟାଚରେ ଆଗୁଆ ରହିଥିଲେ । କିନ୍ତୁ ପୁଣି ଗ୍ରେଟ୍‌ ବ୍ରିଟେନ ଆଉ ୨ଟି ଗୋଲ କରିବା ସହ ମ୍ୟାଚରେ ଆଗୁଆ ରହିଥିଲା। ଶେଷ ପର୍ଯ୍ୟନ୍ତ ସମାନ ସ୍କୋର ବଜାୟୀ ରଖିବା ସହ ବିଜୟୀ ହୋଇଥିଲା ଗ୍ରେଟ୍‌ ବ୍ରିଟେନ।

Share