ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୧ା୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୁରୀ ଗସ୍ତରେ ଆସି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟାରେ ମେଡିକାଲ କଲେଜ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ରବିବାର ପୁରୀ ଜିଲାପାଳ ସମର୍ଥ ବର୍ମା ଏବଂ ଏସ୍‌ପି କନୱର ବିଶାଲ ସିଂ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଗସ୍ତ ଲାଗି ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୫ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍‌ଘାଟନ ସହ ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବେ। ଏଠାରେ ପ୍ରଶାସନିକ ଭବନ, କ୍ୟାଣ୍ଟିନ୍‌, କ୍ଲାସରୁମ୍‌ ଓ ଲାବ୍‌ ଭଳି ଭିତ୍ତିଭୂମି ପ୍ରସ୍ତୁତ ହୋଇଛି। ୧୫୦ ଛାତ୍ରୀ ଓ ୩ଶହ ଛାତ୍ରଙ୍କ ପାଇଁ ଛାତ୍ରାବାସ ରହିଛି। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଉଦ୍‌ଘାଟନ ଏବଂ ୧୫୦ ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କାର୍ଯ୍ୟକ୍ରମ ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତି ଶେଷ କରିଛି। ସେହିପରି ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସରଜମିନ୍‌ ସ୍ଥିତି ଯାଞ୍ଚ କରାଯିବା ସହ ଅତିରିକ୍ତ ଏସ୍‌ପି ଏବଂ ଡିଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଜିଲା ପ୍ରଶାସନ, ପୋଲିସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟ ଶେଷ ହୋଇଛି ବୋଲି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡ. ଅଭିଷେକ ପଣ୍ଡା କହିଛନ୍ତି। ସେହିପରି ପ୍ରଥମ ବର୍ଷର ଏମ୍‌ବିବିଏସ୍‌ ଛାତ୍ର ରାଜସାଇ ଦାସ କହିଛନ୍ତି, ପୁରୀ ଧାମରେ ପାଠ ପଢ଼ିବାର ସୁଯୋଗ ମିଳିବା ବଡ଼ କଥା। ମେଡିକାଲର ଭିତ୍ତିଭୂମି ଓ ହଷ୍ଟେଲ ସୁବିଧାକୁ ନେଇ ସନ୍ତୁଷ୍ଟ ଥିବା ସେ ପ୍ରକାଶ କରିଛନ୍ତି।

Share