ଆଜି ଲକ୍ଷ୍ମୀ ବସ୍‌ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୨ା୧୦(ଦୁର୍ଯ୍ୟୋଧନ ପାତ୍ର)ଲକ୍ଷ୍ମୀ ବସ୍‌ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମାଲକାନଗିରି ଜିଲାରୁ ଶୁଭାରମ୍ଭ କରିବେ। ଏହାକୁ ନେଇ ଜିଲାରେ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି। ମାଲକାନଗିରି ସହରରେ ଥିବା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବାରୁ ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୧ଟା ୩୫ ମିନିଟ୍‌ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୨ଟା ୨୦ ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି। ବସ୍‌ ସେବା ଉଦ୍‌ଘାଟନ ପରେ ମୁଖ୍ୟମନ୍ତ୍ରୀ ବସ୍‌ରେ ଷ୍ଟାଡିୟମଠାରୁ ଏମ୍‌ଭି ୩ରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପ ପର୍ଯ୍ୟନ୍ତ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି।
ସୁରକ୍ଷା ଦୃଷ୍ଟିରୁ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ଜିଲାର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଅନ୍ୟପଟେ ଏହି ଯୋଜାନାର ଠିକ୍‌ କାର୍ଯ୍ୟକାରିତା ପାଇଁ ସମସ୍ତ ବସ୍‌ର ଗତିପଥ ନିର୍ଦ୍ଧାରଣ କରାଯାଇଛି। ଏହାସହ ଲକ୍ଷ୍ମୀ ବସ୍‌ ନିମନ୍ତେ ଜିଲାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବସ୍‌ ଷ୍ଟପ୍‌ମାନ କରାଯାଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଜିଲା ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି।
ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମାଲକାନଗିରିରେ ପହଞ୍ଚି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି। ଦାସ ଜିଲାରେ ପହଞ୍ଚି ଦଳୀୟ ନେତୃମଣ୍ଡଳୀଙ୍କ ସହ କାର୍ଯ୍ୟକ୍ରମ ସ୍ଥାନରେ ସମୀକ୍ଷା ବୈଠକ କରିଛନ୍ତି। ବସ୍‌ ସେବାର ଶୁଭାରମ୍ଭ ନେଇ ଜିଲାବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

Share